ନୂଆଦିଲ୍ଲୀ: ଅଣ୍ଡର-19 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ର ଫାଇନାଲ୍ ମ୍ୟାଚ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଛି। ଏହି ମହାମୁକାବିଲାରେ ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚନା କରିଛନ୍ତି। ବୈଭବ ମାତ୍ର 55 ବଲରେ ନିଜ ଶତକ ପୂରଣ କରିଥିଲେ, ଯାହା ଅଣ୍ଡର-19 ୱାର୍ଲ୍ଡ କପ୍ ଫାଇନାଲ୍ ଇତିହାସରେ ସବୁଠାରୁ ଦ୍ରୁତ ଶତକ ଭାବେ ରେକର୍ଡ ହୋଇଛି। ପୂର୍ବ ମ୍ୟାଚ୍ଗୁଡ଼ିକରେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ବୈଭବ, ଫାଇନାଲ୍ ମ୍ୟାଚ୍ରେ ନିଜ ପ୍ରଦର୍ଶନ ଦ୍ୱାରା ସମାଲୋଚକଙ୍କୁ ଜବାବ ଦେଇଛନ୍ତି।

ମାତ୍ର 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଫାଇନାଲ୍ ମ୍ୟାଚ୍ରେ ସବୁଠାରୁ ଦ୍ରୁତ ଶତକ ଲଗାଇଥିବା ବ୍ୟାଟର ହୋଇଛନ୍ତି। ଏହା ସହ ସେ ଅଣ୍ଡର-19 ୱାର୍ଲ୍ଡ କପ୍ ଫାଇନାଲ୍ରେ ଶତକ କରିଥିବା ତୃତୀୟ ଭାରତୀୟ ବ୍ୟାଟର ମଧ୍ୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଉନ୍ମୁକ୍ତ ଚନ୍ଦ (2012) ଓ ମନଜୋତ କାଲଡ଼ା (2018) ଏହି ସଫଳତା ହାସଲ କରିଥିଲେ। ଫାଇନାଲ୍ ମ୍ୟାଚ୍ରେ ବୈଭବ 80 ବଲରେ 175 ରନ୍ କରିଥିଲେ। 218.75 ଷ୍ଟ୍ରାଇକ୍ ରେଟ୍ରେ ଖେଳାଯାଇଥିବା ଏହି ପାରିରେ ସେ 15 ଚୌକା ଓ 15 ଛକା ମାରିଥିଲେ। ଏହା ସହ ସେ ଗୋଟିଏ ଅଣ୍ଡର-19 ୱାର୍ଲ୍ଡ କପ୍ ଇନିଂସ୍ରେ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି।