ବିଶାଳ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

(କଟକ, ଜଗନ୍ନାଥ ମହାନ୍ତି): ଆଜି କଟକ ସାର୍ତ୍ତଳ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ସଂଗଠନ ରବିନ ହୁଡ ଆର୍ମି ଓ କଟକ ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ବିଶାଳ କୋଭିଡ ଟିକାଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ଡିଜିଟାଲ ଟୀକା ପଞ୍ଜିକରଣ ବ୍ୟବସ୍ଥାକୁ ବୁଝି ପାରିନଥିବା ଏବଂ ନାମ ପଞ୍ଜିକରଣ କରିପାରୁନଥିବା ବସ୍ତି ବାସିନ୍ଦା ମାନଙ୍କୁ କରୋନା ଟୀକା ସୁବିଧାରେ ପ୍ରଦାନ କରାଯାଇଛି ।

ବିଶେଷ କରି ବସ୍ତିରେ ରହୁଥିବା ଗରିବ ଶ୍ରେଣୀର ଲୋକେ ଟୀକା ପଞ୍ଜିକରଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । କିନ୍ତୁ ଆଜି କଟକ ମହାନଗର ନିଗମ ଓ ରବୀନ ହୁଡ଼ ଆର୍ମିର ମିଳିତ ସହଯୋଗ ଯୋଗୁ ଟୀକାଦାନରୁ ବଞ୍ଚିତ ହୋଇଥିବା ୬୦୦ ବ୍ୟକ୍ତି ଉପକୃତ ହୋଇ ପାରିଛନ୍ତି । ଟୀକା ନେବା ସହ ଏହାକୁ ନେଇ ଚାଲିଥିବା ବିଭିନ୍ନ ଅପପ୍ରଚାରରୁ ଦୁରେଇ ରହିବା ପାଇଁ ସଂଗଠନର ସଦସ୍ୟମାନେ ବସ୍ତି ବାସିନ୍ଦାଙ୍କୁ ପରାମର୍ଶ ଦେଇଛନ୍ତି ।