ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

(ମମତା ସାମଲ): ଆଜି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ସେ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀ ଥିଲେ । ସେ ଜଣେ ସ୍ୱାଧିନତା ସଂଗ୍ରାମୀ, କବି, ଲେଖକ ଓ ସମାଜସେବକ, ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ । ମାତାଙ୍କ ବିୟୋଗ ପରେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କ ଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।

ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡିଆ ଭାଷା ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ଵାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ । ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ଵେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ଵିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।