ନୂଆଦିଲ୍ଲୀ: ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍ । ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ କରିବ ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଭାରତ ପାଇଁ ଆମେରିକା ବଜାରରେ ସମସ୍ୟା ବୃଦ୍ଧି ହେବା ନେଇ ଜଣାପଡିଛି । ଫଳରେ ପ୍ରବଳ ଭାବରେ ପ୍ରଭାବିତ ହେବ ବୟନ ଶିଳ୍ପ, ଧାତୁ ଏବଂ ଔଷଧ କମ୍ପାନୀ । ଟାରିଫ୍ ପ୍ରଭାବରେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଆମେରିକାରେ ମହଙ୍ଗା ହାରରେ ଉପଲବ୍ଧ ହେବ । ଯାହାଦ୍ଵାରା ସେମାନଙ୍କର ବିକ୍ରୟ ହ୍ରାସ ହେବ । ଫଳରେ ଭାରତୀୟ କମ୍ପାନୀଗୁଡ଼ିକୁ କ୍ଷତି ସହିବାକୁ ପଡିବ ।
ତେବେ ୨୦୨୪ର ରିପୋର୍ଟ ଆଧାରରେ, ଭାରତ ଆମେରିକାକୁ ୮୭.୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, କିନ୍ତୁ ଆମେରିକାରୁ ୪୧.୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା, ଯାହା ଫଳରେ ଆମେରିକା ୪୫.୭ ବିଲିୟନ ଡଲାରର ଘାଟା ସହିଥିଲା । ଭାରତର ପ୍ରମୁଖ ରପ୍ତାନିରେ ଔଷଧ, ବୟନଶିଳ୍ପ, ରତ୍ନ-ଅଳଙ୍କାର, ଇଲେକ୍ଟ୍ରୋନିକ୍ସ ଏବଂ ଷ୍ଟିଲ୍- ଆଲୁମିନିୟମ ଅନ୍ତର୍ଭୁକ୍ତ । ଏହିସବୁ ସାମଗ୍ରୀ ଭାରତ ଆମେରିକାକୁ ବହୁଳ ପରିମାଣରେ ରପ୍ତାନି କରେ, ଯାହା ଆମର ମୋଟ ରପ୍ତାନିର ପ୍ରାୟ ୧୮ପ୍ରତିଶତ ଅଟେ । ଏବେ ୨୫ପ୍ରତିଶତ ଟାରିଫ୍ ଲାଗିବା ଫଲେ ଏହିସବୁ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ପ୍ରୀତି ଥିବା ପୂର୍ବରୁ ଜଣାଥିଲେ ବି ଏବେ ପୁଣିଥରେ ତାହା ପ୍ରମାଣିତ ହୋଇଛି ।