ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ: ମାନସଙ୍କୁ ବାଉଁଶ ଫାଳିଆରେ ପିଟିପିଟି ହତ୍ୟା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବା ସହିତ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ସତ । କ୍ରାଇମବ୍ରାଞ୍ଚ ତଦନ୍ତରେ ଅପରାଧିଙ୍କ ଠାରୁ ସତ ଓଗାଳୁଛି ପୋଲିସ । ମାନସଙ୍କୁ ବାଉଁଶ ଫାଳିଆରେ ପିଟିପିଟି ହତ୍ୟା କରା ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମାନସ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟା ସମୟରେ ବ୍ୟବହୃତ ହୋଇଥିବା ୪ ଖଣ୍ଡ ବାଉଁଶ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ ।ତେବେ ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ବାହାରକୁ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ । ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ ପଠାଇଛି କ୍ରାଇମବ୍ରାଞ୍ଚ । ତେବେ ପ୍ରାଥମିକ ତଦନ୍ତରୁ ବାଉଁଶ ଫାଳିଆରେ ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରିଛି ଫରେନ୍ସିକ ଏକ୍ସପର୍ଟ ଟିମ୍ ।

ଅନ୍ୟପକ୍ଷେ ଗତକାଲି ମାନସଙ୍କ ଘର ତଥା ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ଗୋଡିପୋଖରୀ ଗାଁରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଜବତ ହୋଇଥିବା ଦରପୋଡା ଇୟର ଫୋନ ଓ ଚପଲକୁ ନେଇ ତଦନ୍ତକାରୀ ଟିମ୍ ମାନସଙ୍କ ଘରକୁ ଯାଇଥିଲା । ନୟାଗଡ ରଣପୁର ଗୋଡିପୋଖରୀରେ ପହଞ୍ଚି ଜବତ ହୋଇଥିବା ସାମଗ୍ରୀ ମାନସ ପରିବାର ଲୋକଙ୍କୁ ଦେଖାଇଥିଲେ । ଦରପୋଡା ଚପଲ ଓ ଇଅର ଫୋନ ମାନସର ବୋଲି ଚିହ୍ନଟ କରିଥିଲେ ପରିବାର ଲୋକେ ।

ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ ଏବେ କେଉଁଠି ? ଏଯାଏଁ ମେମୋରି ଚିପ୍ ପାଖରେ ପହଞ୍ଚି ପାରିନାହିଁ କ୍ରାଇମବ୍ରାଞ୍ଚ ଟିମ୍। ଘରେ ମେମୋରି ଚିପ୍ ଲୁଚାଇ ରଖିଥିବା ସନ୍ଦେହରେ ମାନସଙ୍କ ଘରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ପ୍ରାୟ ଅଧଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ପତ୍ନୀ, ବାପା-ମାଆ ଓ ସାନ ଭାଇଙ୍କୁ ବିଭିନ୍ନ କଥା ପଚାରି ବୁଝିଥିବା ଜଣାପଡ଼ିଛି ।ଏଥି ସହିତ ପରିବାର ସଦସ୍ୟଙ୍କ ଫୋନ୍ ନଂ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ? ସେମାନେ କ’ଣ କରନ୍ତି ଇତ୍ୟାଦି ବିଷୟରେ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ।