ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ ୧୬/୦୮ : ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିନେବା ପରେ ବିଶ୍ବ ସମୁଦାୟ ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି ଭାରତ ଅଧ୍ୟକ୍ଷତାରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନ ଆଫଗାନିସ୍ତାନରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟି​‌ରେ ରଖି ବୈଠକ ଡକାଯାଇଛି । ଗତ ସପ୍ତାହେ ମଧ୍ୟରେ ଏହା ଜାତିସଂଘର ଦ୍ବିତୀୟ ବୈଠକ । ସନ୍ଧ୍ୟା ୭.୩୦ ମିନିଟ୍‌ରେ ଆରମ୍ଭ ହେବ ବୈଠକ ।

ଆଫଗାନିସ୍ତାନରେ ଲମ୍ବା ସମୟ ଧରି ଜାରି ରହିଥିବା  ଯୁଦ୍ଧରେ ରବିବାର ଏକ ବଡ ମୋଡ ଆସିଥିଲା । ତାଲିବାନମାନେ ଦେଶର ରାଜଧାନୀ କାବୁଲକୁ କବ୍‌ଜା କରିଥିଲେ । ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେବା ସହିତ ଗୁରୁତ୍ବପୂର୍ଣ୍ଣ ଅଫିସଗୁଡିକରେ ମଧ୍ୟ ନିଜର ଆଧିପତ୍ୟ ଜାହିର କରିଥିଲେ । ବାଧ୍ୟ ହୋଇ ଦେଶ ଛାଡିଥି​‌​‌ଲେ ରାଷ୍ଟ୍ରପତି ଅଶରଫ୍‌ ଘନି । କେବଳ ସେତିକି ନୁହେଁ ଆଫଗାନିସ୍ତାନର ସଂସଦ ଉପରେ ମଧ୍ୟ କବ୍‌ଜା କରିସାରିଛି ତାଲିବାନ । ଅସ୍ତ୍ରଶସ୍ତ୍ର ସହ ସଂସଦ ମଧ୍ୟରେ ପଶି ସ୍ପିକରଙ୍କ ଚେୟାର ଉପରେ ବସିଥିଲେ ତାଲିବାନୀ ।

ଜାତିସଂଘରେ ବର୍ତ୍ତମାନ ଅଧ୍ୟକ୍ଷ ଥିବା ଭାରତ, ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. କୃଷ୍ଣମୂର୍ତ୍ତୀ ଟ୍ବିଟ୍ କରି କହିଛନ୍ତି, ‘ଆଫଗାନିସ୍ତାନ ମାମଲାରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକ ହେବ । ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୭.୩୦ରେ ଆଫଗାନିସ୍ତାନ ସ୍ଥିତି ନେଇ ବିଚାର ବିମର୍ଷ ହେବ ।’