ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସୀତାରମଣ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା । ସୀତାରମଣ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ବେହରଣ ଦ୍ୱାର ଦେଇ ଫେରି ଥିଲେ । ପରେ ମୁକ୍ତିମଣ୍ଡପରେ ପ୍ରଣାମ କରି ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପାଟଅଗଣା ଦେଇ ବାହାରକୁ ଆସିଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରି ବିମୋହିତ ହୋଇଯାଇଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏହା ପରେ ସେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଛନ୍ତି । ତା ପରେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ପରେ ସେ ଭୁବନେଶ୍ୱର ଫେରିଆସିବେ।
ଅପରାହ୍ନରେ ହୋଟେଲ ମେ’ ଫେୟାରରେ ଆୟୋଜିତ କାର୍ୟ୍ୟକ୍ରମରେ କୁଇ ଓ ଦେଶୀୟ ଭାଷା ଉପରେ ଏକ ପୁସ୍ତକ ଉନ୍ମୋଚନ କରିବେ। ଅପରାହ୍ନ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହରେ ଆୟୋଜିତ ବିଂଶତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଗୁରୁବାର ରାତିରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ ଫେରିଯିବେ।