(ଭୁବନେଶ୍ୱର/ସରୋଜ ରାଉତ): ରାଜଧାନୀ ଭୁବନେଶ୍ୱରରେ ଥିବା ଜୟଦେବ ବାଟିକାରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ମୃତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ।
ସୂଚନାଅନୁଯାୟୀ, ଆଜି ଜୟଦେବ ବାଟିକାରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ଚାବି ରିଂ, କିଛି ଟଙ୍କା ଓ ଚପଲ ପଡିଥିବା ମଧ୍ୟ ଦେଖିବାକୁ ମଳିଥିଲା । ଏ ନେଇ ଖଣ୍ଡଗିରି ପୁଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରି ଦେଇଛି । ତେବେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଯୁବତୀଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହୁଛି । ଅପରପକ୍ଷରେ ସେହି ସ୍ଥାନରେ କିଛି ଅପରାଧିକ ତତ୍ତ୍ୱଙ୍କ ଦୌରାତ୍ମ ବୃଦ୍ଧି ପାଇଛି । ଏହି ଘଟଣା ପଛରେ ମଧ୍ୟ ସେମାନଙ୍କ ହାତ ଥିବା ଲୋକେ ସନ୍ଦେହ କରିବା ସହ ଏହାକୁ ପୁଲିସ ଦମନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।