ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଦସ୍ୱଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇଜଣ ସମ୍ପର୍କରେ ମାମୁଁ-ଭାଣିଜୀ ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ, ରାଣିଗୁଡା ଗାଁର ପପୁ ସାହୁ ବାଇକରେ ହୁଲୁରିସିଂହା ଗ୍ରାମରୁ ଭଉଣୀ ଏବଂ ଭାଣିଜୀଙ୍କୁ ନେଇ ବାଳୁଅକଟା ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଶରଧାପୁର ନିକଟରେ ଏକ ମାଲବାହୀ ଅଟୋ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ରାସ୍ତା ଉପରେ ସେମାନେ ଛିଟିକି ପଡିବା ସହ ଘଟଣା ସ୍ଥଳରେ ପପୁ ଓ ତାଙ୍କ ବଡ଼ ଭାଣିଜୀ ଗାୟତ୍ରୀଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ପପୁଙ୍କ ପଦ୍ମିନୀ ଓ ଶ୍ରାବଣୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ ଅଟୋଟି ଫେରାର ହୋଇ ଯାଇଥିବା ଜଣା ପଡ଼ିଛି ।