ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ପୁଣି ଘଟିଯାଇଛି ଅଭାବନୀୟ ଘଟଣା । ଜମିବାଡି ବାବଦକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ହତ୍ୟା । ପୁତୁରାର ଠେଙ୍ଗା ପ୍ରହାରରେ ପ୍ରାଣ ହରାଇଛନ୍ତି ଦାଦା । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ତାରାସିଙ୍ଗି ଥାନା ଅନ୍ତର୍ଗତ ମହୁଲ ପାଟଣା ଗ୍ରାମରେ । ଗତକାଲି ସନ୍ଧ୍ୟାରେ କୁଷ୍ଣ ଖିଲାର ଜମିରୁ ଫେରୁଥିବା ସମୟରେ ପୁତୁରା ସୁବାଷ ବିଶୋୟୀ ଏକ ନିଛାଟିଆ ସ୍ଥାନରେ ଜଗି ବସିଥିଲା । ପୂର୍ବ ରାଗର ପ୍ରତିଷୋଧ ନେବା ପାଇଁ ଚାହିଁ ବସିଥିବା ପୁତୁରାକୁ ମିଳିଥିଲା ସୁବର୍ଣ୍ଣ ସୁଯୋଗ । ଦାଦାଙ୍କୁ ଏକ ନିରୋଳା ଜାଗାରେ ଏକୁଟିଆ ପାଇ ହଠାତ ଆକ୍ରମଣ କରିଥିଲା ସୁବାଷ । ଫଳରେ ଘଟଣାସ୍ଥଳରେ ହିଁ କୃଷ୍ଣଙ୍କର ମୃତ୍ୟୁ ହୋଇଛି ।
ଏହାପରେ ଖବର ପାଇ ତାରାସିଙ୍ଗି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତ କୃଷ୍ଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ସୁବାଷ ଖସି ପଳାଇଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ତାକୁ ଖୋଜା ଚଳାଇଛି ।