ନୂଆଦିଲ୍ଲୀ: ରେସଲର ସୁଶିଲ କୁମାରଙ୍କ ଉଚ୍ଚ ପୁଷ୍ଟିକର ଖାଦ୍ୟ ଓ ଖାଦ୍ୟରେ ଅନୁପୂରକ ଡାଏଟକୁ ନେଇ ଦାୟର ଯାଚିକାର ଶୁଣାଣି ଦିଲ୍ଲୀର ଏକ କୋର୍ଟରେ ହୋଇଥିଲେ ମଧ୍ୟ ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି । ଦିଲ୍ଲୀ ରୋହିନୀ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସତବୀର ସିଂହ ଲାମ୍ବା ଏହି ରାୟକୁ ସଂରକ୍ଷିତ ରଖିଛନ୍ତି । ଏହାକୁ ବୁଧବାର ପ୍ରକାଶ କରାଯିବ । ରେସଲର ସୁସିଲ କୁମାର ସାଗର ଧାଙ୍କର ହତ୍ୟା ଘଟଣାରେ ପ୍ରମୁଖ ଅଭିଯୁକ୍ତ ବୋଲି ଦିଲ୍ଲୀ ପୁଲିସ ଅଭିଯୋଗ କରିବା ସହ ତାଙ୍କ ଜେଲରେ ରଖିଛି । ଜେଲରେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସୁଶିଲ ତାଙ୍କ ଓକିଲ ମାଧ୍ୟମରେ ଏକ ଭିନ୍ନ ସେଲରେ ରଖିବାକୁ ଗୁହାର ଲଗାଇଛନ୍ତି ।
ଏହି କେସରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସାକ୍ଷୀ ସୁରକ୍ଷା କମିଟି ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି । ସୋମବାର କମିଟି ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଦେଶ ଦିଆଯାଇଛି କି ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଛି, ତେଣୁ ସମସ୍ତଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯାଉ ।