ବର୍ଷାରେ ବେହାଲ କପ୍ତିପଦା ଉପଖଣ୍ଡ

ଉଦଳା, ଦୀପକ ମିଶ୍ର:  ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା କାରଣରୁ ବେହାଲ ହୋଇଛି ଉଦଳା ଅଂଚଳ । ବିଶେଷକରି କପ୍ତିପଦା ଉପଖଣ୍ଡରେ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ଜନସାଧାରଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ଉଦଳା ବ୍ଲକ ଭୀମତାଳି ପଂଚାୟତ ଜାଲଦା ଏବଂ ମଦନାପାଳ ଗ୍ରାମରେ ସୋନ ନଦୀର ଜଳସ୍ତର ବୃଦ୍ଧି କାରଣରୁ ପାଖାପାଖି ୩୦ ଘର ଭିତରେ ପାଣି ପଶିଛି । ଏହା ସହିତ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଲଗାଣ ବର୍ଷା କାରଣରୁ ଆଜି ଭୋର ସମୟରେ ନଦୀର ଜଳସ୍ତର ବୃଦ୍ଧି ପାଇ ଲୋକଙ୍କ ଘର ଭିତରେ ପାଣି ପଶିଥିଲା ।

ସେପଟେ ମହିଷାସୁରୀ ପୋଲ ଭାଙ୍ଗିଯିବା ସହିତ ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ସୋନ ନଦୀରେ ଜଳସ୍ତର ବୃଦ୍ଧି କାରଣରୁ କପ୍ତିପଦା-ଔପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ପଦ୍ମପୋଖରୀ ଅଂଚଳକୁ ରୋଗୀ ଆଣିବାକୁ ଯାଉଥିବା ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ପୋଲରେ ଜଳସ୍ତର ବୃଦ୍ଧି ହେତୁ ଅଟକି ରହିଥିବା ଦେଖିବାକୁ ମିଳିଛି ।

ସେପଟେ ପ୍ରବଳ ବର୍ଷା କାରଣରୁ ଗତକାଲି ରାତିରେ ବିନା ସୂଚନାରେ ଡ୍ୟାମର ତିନି ଗୋଟି ଗେଟ ଖୋଲି ଦେଇଥିବା ବେଳେ ଏହାର ପ୍ରଭାବରେ ତଳିଆ ଅଂଚଳକୁ ବନ୍ୟା ଜଳ ପ୍ରବେଶ କରିଛି । ସୋନ ଡ୍ୟାମ ତଳେ ଥିବା ଶାଳଚୁଆ ଗ୍ରାମରେ ଗୋଟିଏ କୁକୁଡା ଫାର୍ମ ହାଉସରେ ପାଣି ପଶିଯିବା ସହିତ ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ଲହଡି ଭାଙ୍ଗୁଛି । ତେବେ ଏହାକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ତେଣୁ ଆଜି ସୁନେଇ ଏସଡିଓ ଶୁଭ୍ରାଂଶୁ ଦ୍ୱିବେଦୀଙ୍କୁ ଏକ ଘଂଟାରୁ ଅଧିକ ସମୟ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ବିନା ସୂଚନାରେ ଗେଟ ଖୋଲି ଥିବାରୁ ସ୍ଥାନୀୟ ଲୋକେ ପାଣି ଘେରରେ ରହିବା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।