ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଦୁଇଟି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବାଟାଲିୟନ୍

ଭୁବନେଶ୍ୱର:- ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଦୁଇଟି OISF ବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବାଟାଲିୟନ୍ । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ୩ ଓ ୪ ନମ୍ବର OISF ବାଟାଲିୟନ ଭାବେ ନାମିତ ହେବ । ଏହି ଦୁଇଟି ବାଟାଲିୟନ୍‌ରେ ୧୯୪୪ଟି ପଦବି ସୃଷ୍ଟି ହେବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଉତ୍କର୍ଷ ଓଡ଼ିଶା-ମେକ୍‍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆହୁରି ଦୁଇଟି ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

ପୂର୍ବରୁ OISFରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା । ଏହାର ସମୁଦାୟ ପଦବୀ ସଂଖ୍ୟା ଥିଲା ୧୮୦୭ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିଅନ ସୃଷ୍ଟି କରିଥିଲେ । ଏହାଦ୍ୱାରା ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା । ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବା ପରେ  ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ସମୁଦାୟ  ୪୯୨୭ ପଦବୀ ସୃଷ୍ଟି ହେଲା ।