ରାଇରଙ୍ଗପୁର /ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବଡ ମରଣଯନ୍ତା ବାଙ୍ଗିରିପୋଷି ଘାଟିରେ ସଡ଼କ ଦୁର୍ଘଟଣା ଥମିବାର ନାଁ ଧରୁ ନାହିଁ । ପ୍ରତ୍ୟେକ ଦିନ କିଛି ନା କିଛି ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ଘାଟି ଦେଇ ଉଭୟ ରାଜ୍ୟ ଓ ୪୯ନମ୍ବର ଜାତୀୟ ରାଜପଥ ଯାଇଥିବା ଯୋଗୁଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଚଳାଚଳ କରିଥାନ୍ତି। ସେହିପରି ଏକ( HR 47C3631 ନମ୍ବର ) କଣ୍ଟେନର ମୁମ୍ବାଇରୁ କଲିକତା ଅଭିମୁଖେ ଯାଉଥିଲା ଏହି ସମୟରେ ପଛରୁ ଅନ୍ୟଏକ (WB19F9036 ନମ୍ବର) ଟ୍ୟାଙ୍କର କୈାଣସି କାରଣରୁ କଣ୍ଟେନରକୁ ଧକ୍କା ଦେଇଥିଲା ବୋଲି ସୂଚନା ମିଳିଛି। ଫଳରେ ଉଭୟ ଗାଡ଼ି ଘାଟିରାସ୍ତା ତଳକୁ ଖସି ପଡିବା ସହିତ ଗାଡ଼ିର ଡ଼୍ରାଇଭର ଚାପି ହୋଇ ରହିଥିଲେ । କୌଣସି କାରଣରୁ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା ଫଳରେ କଣ୍ଟେନର ଗାଡ଼ିର ଚାଳକ ଗାଡ଼ି ସହିତ ଜଳିଯାଇଥିବା ଦେଖିବାକୁ ମିଳୁଥିବା ବେଳେ ଟ୍ୟାଙ୍କର ଗାଡ଼ିର ଡ଼୍ରାଇଭର ମଧ୍ୟ ଜଳିଯାଇଥିବା କହିଛନ୍ତି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କର୍ମଚାରୀ। ଏନେଇ ଘଟଣା ସ୍ଥଳରେ ତିନି ଚାରୋଟି ଦମକଳବାହିନୀ ଦଳ ଓ ବହୁ ପୋଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ବେଳେ କେଉଁ କାରଣରୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଲା ତାହା ଜଣାପଡିନାହିଁ। ବହୁବାର ଏହି ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଦାବି ଯୋର ଧରିଥିଲା ବେଳେ ଏପର୍ୟ୍ୟନ୍ତ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏନେଇ ସେପଟେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ବିରୋଧ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।