କୁଜଙ୍ଗ:- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର ଭଗ୍ୟଧର ଦାଶ ଓ ପଞ୍ଚାନନ ଦାଶ । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୀଡ଼ିତାଙ୍କ ବାପାଙ୍କ ଏତାଲା କ୍ରମେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଗିରଫ ଦୁଇ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଏକ ମନ୍ଦିରରେ କାମ କରନ୍ତି ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ସହ ଅଭିଯୁକ୍ତ ୨ ଭାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ପୀଡ଼ିତା ୭ ମାସର ଗର୍ଭବତୀ ହୋଇଥିଲେ । ଏବିଷୟରେ ଜଣାପଡ଼ିବା ପରେ ଅଭିଯୁକ୍ତ ୨ ଭାଇ ଓ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ବାପାଙ୍କୁ ଘଟଣା ପ୍ରଘଟ ନ କରିବା ପାଇଁ ଟଙ୍କା ଯାଚିଥିଲେ । ମାତ୍ର ସେ ରାଜି ନ ହେବାରୁ ଉଭୟ ବାପା ଓ ଝିଅଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଏନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ନଂ.୨୭୨/୨୫ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଇଥିଲା ।
ସେପଟେ, ପିଡୀତାଙ୍କ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବାବେଳେ ସ୍ୱାସ୍ଥ୍ୟ ବାବଦରେ ଅଧିକ ପରାମର୍ଶ ପାଇଁ କଟକ ପଠାଯାଇଥିବା ଜଣାପଡିଛି । ତେବେ ପୀଡ଼ିତା ଜଣକ ୭ ମାସର ଗର୍ଭବତୀ ଥିବାରୁ ଏବେ ତାଙ୍କୁ କେଉଁଠି ସୁରକ୍ଷିତ ଭାବରେ ରଖାଯିବ ତାହା ସ୍ଥିର ହୋଇନାହିଁ । ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ଛାନ ଭିନ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ।