ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ କଡରୁ ପୋଲିସ ଉଦ୍ଧାର ହୋଇଛି ଦୁଇ ଯୁବକଙ୍କ ମୃତଦେହ । ତେବେ ଉଭୟ ମୃତଦେହ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣକ ପରିଚୟ ଏବେ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।
ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ଗେଟ ନିକଟରେ ଆଜି ସକାଳୁ ୨ଟି ମୃତଦେହ ଠାବ କରାଯାଇଛି । ଏନଏଚ-୧୬ର ଗୋଟିଏ ପାଶ୍ୱର୍ରେ ରାସ୍ତାକାମ ଚାଲିଥିବା ବେଳେ ଏହି ରାସ୍ତାଟି ବନ୍ଦ ଥିଲା । ତେବେ ସ୍ଥାନୀୟ ଲୋକେ ମୃତଦେହ ସହିତ ନିକଟରେ ବାଇକ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାରୁ ଦୁଇ ଜଣଙ୍କ ମଧ୍ୟରୁ ଜଣକ ପରିଚୟ ପାଇଛି ପୋଲିସ । ମୃତକଙ୍କ ଭିତରୁ ଜଣେ ନିକଟସ୍ଥ ଜନହା ଗାଁର ବିଜୟ ସାହୁ ବୋଲି ପୋଲିସ କହିଥିବା ବେଳେ ଅନ୍ୟ ଜଣକ ପରିଚୟ ମିଳି ପାରିନାହିଁ ।
ତେବେ ବିଜୟଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ନିକଟସ୍ଥ ଏକ ଗାଁର ଜଣେ ଯୁବତୀଙ୍କ ବିଜୟ ଭଲ ପାଉଥିଲେ । ଗତକାଲି ରାତିରେ ବିଜୟ କେଉଁଆଡେ ଯାଇ ଆଉ ଘରକୁ ଫେରି ନଥିବା ବିଜୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଯୁବତୀଙ୍କ ପରିବାର ଲୋକେ ରାଗରେ ଏପରି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଘରୁ ତାଙ୍କୁ ଡକାଇ କେଉଁଠାରେ ହତ୍ୟା କରାଯାଇଥିବା ବେଳେ ସେଠାରେ ମୃତଦେହକୁ ଫିଙ୍ଗା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ।