ୱାନ୍ ୱେ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ; ଜଣେ ମୃତ

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ୱାନ୍ ୱେ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ସଙ୍କଟାପନ୍ନ ଥିବା ଜଣାପଡିଛି। ବିନା ସେଫ୍ଟି ଫଳକ ଓ ଜଗୁଆଳିରେ ରାସ୍ତା କାମ ନେଲା ଜୀବନ। ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ। ଚନ୍ଦ୍ରଶେଖରପୁର ଥାନା ଅଧୀନ ତନିସ୍କ ସୋରୁମ୍ ସମ୍ମୁଖରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନାଲକୋ ଛକରୁ ଡମଣା ଛକ ପର୍ୟ୍ୟନ୍ତ ରାସ୍ତା କାମ ଚାଲିଥିବାରୁ ଡ଼ମଣାରୁ ନାଲକୋ ରାସ୍ତାରେ ଚଳାଚଳ କରୁଥିଲା ସବୁ ଗାଡ଼ି। ଏତିକି ବେଳେ ବୁଲେଟ ଏବଂ ହୋଣ୍ଡା ସାଇନ୍ ବାଇକର ହୋଇଛି ମୁହାଁମୁହିଁ ଧକ୍କା। ଦୁର୍ଘଟଣା ଖବର ପାଇ ପିସିଆର ଭ୍ୟାନ୍ ପହଞ୍ଚିବା ବେଳକୁ ଘଟଣା ସ୍ଥଳେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଜୀବନ ସଙ୍କଟାପନ୍ନ ଥିଲା। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ନିଆଯାଇଥିଲା। ମୃତ ବ୍ୟକ୍ତିଙ୍କ ନାମ ତ୍ରିନାଥ ରାଉତରାୟ ହୋଇଥିବା ବେଳେ ଜୀବନ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କ ନାମ କୃଷ୍ଣ ଚନ୍ଦ୍ର ନାୟକ। ରୋଡ଼ କାମ ବେଳେ କୌଣସି ରୋଡ୍ ସେଫ୍ଟୀ ଫଳକ ଏବଂ ଜଗୁଆଳି ନଥାଇ କାମ ଚାଲିଥିବା ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।