କଟକ: OTET ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୧୧ ଓ ୧୨ ତାରିଖରେ ଉଭୟଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତେବେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରମୁଖ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ବୋର୍ଡ ଉପସଭାପତି ନିହାର ମହାନ୍ତି, ଅଭିଯୁକ୍ତ ବିଜୟ ମିଶ୍ର ଓ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାକୁ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ମାତ୍ର କୋର୍ଟ ୨ ଜଣଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡ ନେବାକୁ ଅନୁମତି ଦେଇଛି ।

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗତକାଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ନିହାରଙ୍କ ଲାପଟପରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର । ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କର କୌଣସି ଭୂମିକା ନଥିବା ବେଳେ ଲାପଟପ ବ୍ୟବହାର ପାଇଁ ତାଙ୍କୁ ଅନୁମତି ଦେଇଥିଲେ ନିହାର । ଅଫିସ ବାହାରେ ଗତ ୩ ମାସରେ ଫୋନରେ ୧୦୦ ଥର କଥା ହୋଇଥିଲେ ନିହାର-ଜିତନ । ଏଯାଏ ପ୍ରଶ୍ନପତ୍ର ଲିକ ମାମଲାରେ ମୋଟ ୮ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ଓ ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ।

ତେବେ ଗତ ଜୁଲାଇ ୨୦ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ହେବାର ଥିଲା । ମାତ୍ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୁଲାଇ ୧୯ ତାରିଖ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଘଟଣାରେ ଜଡିତ ଥିବା ଜଣେ ପରେ ଜଣେ ବ୍ଯକ୍ତି ଗିରଫ ହୋଇଥିଲେ ।