ଶକ୍ତିଶାଳୀ ଭୂକମ୍ପରେ ଥରିଲା ଋଷ, ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ । ଭୂକମ୍ପର କେନ୍ଦ୍ରସ୍ଥଳ କାମ୍‌ଚାଟକା ଉପକୂଳ ନିକଟ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ତୀବ୍ର ଭୂମିକମ୍ପ ଝଟ୍‌କା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଜାପାନ ଓ ଆମେରିକାରେ ସୁନାମୀ ସତର୍କତା ଜାରି କରାଯାଇଛି ।

ସୂଚନା ଅନୁସାରେ, ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ରୁଷ । ରୁଷର କାମଚାଟସ୍କି ଉପଦ୍ୱୀପ ନିକଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଛି । କାମଚାଟସ୍କିରେ ହୋଇଥିବା ଭୂମିକମ୍ପ ସମୁଦ୍ର ତଳେ ହୋଇଥିଲା, ଯାହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି।  ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ କରାଯାଇଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଫଳରେ ଜାପାନ ଓ ଆମେରିକାର ଏଜେନ୍ସି ସୁନାମୀର ଆଲର୍ଟ ଜାରି କରିଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଭୂମିକମ୍ପ ପ୍ରାୟ ୧୯.୩ କିଲୋମିଟର ଗଭୀରତାରେ ହୋଇଥିଲା, ଯାହା ଫଳରେ ପୃଷ୍ଠରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ଋଷ ସହ ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କାରାଯାଇଛି । ସମୁଦ୍ରରେ ବଡ଼ ଲହଡ଼ି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି  ହେବ ବୋଲି ଆଲର୍ଟ କରାଯାଇଛି ।

ୟୁଏଏସ୍ ଜିୟୋଲୋଜିକାଲ ସର୍ଭେ ମଧ୍ୟ କହିଛି ଯେ ଆଗାମୀ ତିନି ଘଣ୍ଟା ମଧ୍ୟରେ ରୁଷିଆ ଏବଂ ଜାପାନର କିଛି ଅଂଶରେ ବିପଦପୂର୍ଣ୍ଣ ଲହରୀ ପହଞ୍ଚିପାରେ। ଫିଲିପାଇନ୍ସ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ ଭଳି ଅନ୍ୟାନ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ମଧ୍ୟ ମୃଦୁ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।