ଗଣଶିକ୍ଷା ବିଭାଗରେ ଅଧିକାରୀ ଏବଂ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ । ନିଜ ଜିଲ୍ଲାରେ ନିଯୁକ୍ତି ନ ଦେବାକୁ ହୋଇଛି ସ୍ଥିର ଏଥିସହ ନିଜ ଜିଲ୍ଲାରେ ନିଯୁକ୍ତି ପାଇଲେ ତାଙ୍କୁ ନିଜ ବ୍ଲକ୍ରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଜିଲ୍ଲା କ୍ୟାଡର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମ୍ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ ଏବଂ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଯଦି କୌଣସି ଅଧିକାରୀ ନିଜ ଚାକିରି ସମୟର ୫ବର୍ଷ ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପୂରଣ କରିଥିବେ ତେବେ ସେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ । ଏଥିସିହତ ଅନ୍ୟ ଜିଲ୍ଲାରେ ୧୦ ବର୍ଷ ପୂରଣ କରିଥିବା ଅଧିକାରୀମାନେ ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତ ହେବେ। ଯଦି ସ୍ବାମୀ ଓ ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥାନ୍ତି ତାହା ହେଲେ ସେମାନଙ୍କୁ ନିକଟସ୍ଥ କିମ୍ବା ପାଖ ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ । ଅବସର ଗ୍ରହଣ କରିବାକୁ ଦୁଇ ବର୍ଷ ଥିବା ଅଧିକାରୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରଖିବା କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ। ତେବେ କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତ ନେଇଛି ।