ମାୟାନଗରୀରେ ଯାନବାହନ ଚଳାଚଳ ଠପ୍, ରାତିସାରା ଫସିରହିଲେ ଅଞ୍ଚଳବାସୀ

ବ୍ୟୁରୋ : ପାଣିରେ ବୁଡିଛି ମାୟାନଗରୀ । ପ୍ରବଳ ବର୍ଷାରେ ମୁମ୍ବାଇ ଅବସ୍ଥା ହୋଇଛି ବେହାଲ । ଯାନବାହନ ଚଳାଚଳ ଏକପ୍ରକାର ଠପ୍, ରାତିସାରା ଫସିରହିଲେ ଅଞ୍ଚଳବାସୀ । ଦେଶର ଆର୍ଥିକ ରାଜଧାନୀ ଉପରେ ପ୍ରକୃତିର ରୋଷ । ଅତ୍ୟଧିକ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ମୁମ୍ବାଇର ଲାଇଫଲାଇନ କୁହାଯାଇଥିବା ଲୋକାଲଟ୍ରେନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ।
ସେପଟେ ବିମାନବନ୍ଦର ପରିସ୍ଥିତି ମଧ୍ୟ ଖରାପ ପାଗ ଖରାପ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି । କିଛି ବିମାନକୁ ଡାଇଭର୍ଟ କରାଯାଇଛି । ଏବଂ ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି । ଆଜି ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।
ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ଆଜି ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଯେକୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।