ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହରକୁ ଆସୁଥିବା ଯାନବାହାନ ପାଇଁ ଟ୍ରାଫିକ ପରାମର୍ଶ ଜାରି

ପୁରୀ-: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେବେ ଏହି ପରିପ୍ରେକ୍ଷୀରେ ପୁରୀ ସହରକୁ ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ପୃଥକ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଉଅଛି। ତେବେ ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କ ପାଖରୁ ଆସୁଥିବା ଯାନବାହାନ ପାଇଁ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ସୁଗମ ଯାନବାହାନ ଚଳାଚଳ ଏବଂ ପାର୍କିଂ ବ୍ୟବସ୍ଥା ନେଇ ମଙ୍ଗଳବାର ଦିନ ଟ୍ରାଫିକ ପରାମର୍ଶ ଜାରି କରିଛି ପୋଲିସ।

ତାଳବଣିଆରୁ ଆସୁଥିବା ତିନି ଚକିଆ ଯାନଗୁଡ଼ିକ ୱାଟର ୱାର୍କ ରାସ୍ତା, ଓଡ଼ିଶା ବେକେରି ଏବଂ ରାମ ମନ୍ଦିର ଦେଇ ଘୋଡା ବଜାରକୁ ଯିବେ ଏବଂ ସେଠାରୁ ଯାତ୍ରୀମାନଙ୍କୁ ଛାଡ଼ିବା ପରେ ରାମ ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ଏବଂ ମଙ୍ଗଳା ମନ୍ଦିର ଦେଇ ତାଳବଣିଆ ଫେରିବେ। ସେହିପରି ମାଳତୀପାଟପୁର ପାର୍ଶ୍ୱରୁ ଆସୁଥିବା ତିନି ଚକିଆ ଯାନଗୁଡ଼ିକୁ ବାଟଗାଁ ଛକ ଦେଇ ଅଠରନଳା ପର୍ଯ୍ୟନ୍ତ ଯାଇ ସେଠାରେ ଯାତ୍ରୀମାନଙ୍କୁ ଛାଡ଼ିବା ପରେ ସେହି ସମାନ ରୁଟ୍ ଦେଇ ଫେରିବେ। ତେବେ ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ତିନି ଚକିଆ ଯାନଗୁଡ଼ିକୁ ମଙ୍ଗଳାଘାଟ ଦେଇ ଷ୍ଟର୍ଲିଂ ପର୍ଯ୍ୟନ୍ତ ପହଞ୍ଚି ପୁଣି ସେହି ସମାନ ରୁଟ୍ ଦେଇ ଫେରିବେ।

ବ୍ରହ୍ମଗିରି ପାର୍ଶ୍ୱରୁ ସମସ୍ତ ପର୍ଯ୍ୟଟନ ବସ୍‌କୁ ଫ୍ଲୋରିସ୍‌ ଇଣ୍ଡିଆ ପାର୍କିଂ ପର୍ଯ୍ୟନ୍ତ ଅନୁମତି ଦିଆଯିବା ସହ ଫେରିବା ରୁଟ ମଧ୍ୟ ସମାନ ରହିବ। ଭୁବନେଶ୍ୱରରୁ ଆସୁଥିବା ସମସ୍ତ ପର୍ଯ୍ୟଟନ ବସ୍‌କୁ ମାଳତୀପାଟପୁର ପାର୍କିଂ ପର୍ଯ୍ୟନ୍ତ ଅନୁମତି ଦିଆଯିବ। କୋଣାର୍କ ପାର୍ଶ୍ୱରୁ ସମସ୍ତ ପର୍ଯ୍ୟଟନ ବସ୍‌କୁ ସ୍ୱାମୀ ନାରାୟଣ ମନ୍ଦିର ପାର୍କିଂ ପର୍ଯ୍ୟନ୍ତ ଅନୁମତି ଦିଆଯବ।