ବନ୍ଧୁକ ଛାଡ଼ିବାକୁ ସାଥୀଙ୍କୁ ଟପ୍‌ ମାଓ ନେତା ନିଖିଲ୍‌ଙ୍କ ଆହ୍ବାନ, ଅଡିଓ ବାର୍ତ୍ତା ଜାରି

ଭୁବନେଶ୍ୱର: ଟପ୍‌ ମାଓ ନେତା ନିଖିଲ୍‌ ତାଙ୍କ ସାଥୀମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ଏନେଇ ନିଖିଲ୍‌ ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସଶସ୍ତ୍ର କ୍ରାନ୍ତିକୁ ତ୍ୟାଗ କରି ସେମାନେ ୧୫ ଜଣ ମାଓବାଦୀ ଗଣତାନ୍ତ୍ରିକ ରାସ୍ତାକୁ ଆସିଛନ୍ତି ଏବଂ ଓଡ଼ିଶା ପୋଲିସ୍‌ ପାଖରେ ଆତ୍ମସମର୍ପଣ କରିଛନ୍ତି। ଅଡିଓ ବାର୍ତ୍ତାରେ ନିଖିଲ୍‌ କହିଛନ୍ତି ଯେ, ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏହି କାରଣରୁ ଅନ୍ୟ ସାଥୀମାନେ ମଧ୍ୟ ଅସ୍ତ୍ର ତ୍ୟାଗ କରି ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ବହୁ ସମସ୍ୟା ନେଇ ସଂଗଠନ ଭିତରେ ସମନ୍ୱୟ ହୋଇନପାରିବାରୁ ସେମାନେ ସରେଣ୍ଡର କରିବାକୁ ବାଧ୍ୟ ହୋଇଛନ୍ତି। ଅଧିକ ବିଳମ୍ବ ନକରି ସେମାନଙ୍କ ପଥ ଅନୁସରଣ କରିବାକୁ ନିଖିଲ୍‌ ସାଥୀମାନଙ୍କୁ ଆହ୍ବାନ କରିଛନ୍ତି। ଓଡ଼ିଶା ପୋଲିସ୍‌ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇଥିବା କଥା ସେ ଉଲ୍ଲେଖ କରିଛନ୍ତି। ସରେଣ୍ଡର ପାଇଁ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କଲେ ଆଣିବାର ବ୍ୟବସ୍ଥା କରାଯିବ ବୋଲି ଅଡିଓ ବାର୍ତ୍ତାରେ କୁହାଯାଇଛି।