ଆଜିର ଇଦ୍ ସହ ଶେଷ ହୋଇଛି ଦୀର୍ଘ ଏକ ମାସ ଧରି ଚାଲିଥିବା ଉପବାସ

ବେଗୁନିଆ/ ଶେଖ୍ ଅନୁଅର୍ ଅଲ୍ଲୀ:  ଆଜି ସାରା ରାଜ୍ୟରେ ପାଳନ ହେଉଛି ଇଦ୍ ଉଲ୍ ଫିତର୍ ବା ଇଦ୍ ପର୍ବ। ଏହାକୁ ପାଳନ କରୁଛନ୍ତି ମୁସଲମାନ୍ ସମ୍ପ୍ରଦାୟର ଲୋକେ। ଏହି ପର୍ବରେ ମାସେ ପର୍ଯ୍ୟନ୍ତ ଉପବାସ ରେ ରହିଥାନ୍ତି ମୁସଲମାନ ମାନେ। ସକାଳର ସୂର୍ଯ୍ୟ ଉଦୟ ପୂର୍ବ ଠାରୁ ସନ୍ଧ୍ୟାର ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଉପବାସରେ ରହିଥାନ୍ତି ମୁସଲମାନ ମାନେ ।  ପ୍ରତ୍ୟେକ ଦିନ ରାତିରେ ସମସ୍ତେ ମିଳିମିଶି ମସଜିଦରେ ତରାବୀ ନମାଜ ପାଠ ପଢିଥାନ୍ତି।  ଏହି ପରି ଯେବେ ମାସେ ବା ୩୦ ଦିନ ପୂରଣ ହୋଇଯାଏ ସେହିଦିନ ଚାନ୍ଦ ଦେଖି ଇଦ୍ ନମାଜ ପଢ଼ିଥାନ୍ତି ମୁସଲମାନ ମାନେ।  ଇଦ୍ ନମାଜ ରେ ସମସ୍ତେ ସକାଳୁ ଇଦ୍ଘା ପଡିଆରେ ଏକତ୍ରିତ ହୋଇ ନମାଜ ପଢ଼ିବା ସହ ପରସ୍ପରକୁ ଇଦ୍ ର ଶୁଭେଚ୍ଛା ଜଣାଇଥାଆନ୍ତି। ଆଜି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ରାଉତପଡ଼ା ରେ ବସବାସ କରୁଥିବା ମୁସଲମାନ ମାନେ।  ସେମାନେ ପବିତ୍ର ରମଜାନ ମାସରେ ରୋଜା ରଖିବା ସହ ତରାବି ନମାଜ ପୁରା ମାସେ ପର୍ଯ୍ୟନ୍ତ ପଢ଼ି ଆଜି ଇଦ୍ ନମାଜ ପଢ଼ିଛନ୍ତି। ସମସ୍ତେ ମିଳିମିଶି ସାହିକୁ ସାଜସଜ୍ଜା କରିବା ସହ ସକାଳୁ ଗ୍ରାମରେ ଥିବା ଇଦ୍ଘା ପଡିଆରେ ଏକତ୍ରିତ ହୋଇ ପରସ୍ପରକୁ ଖଜୁର୍ ଖୁଆଇ ଆଲିଙ୍ଗନ କରି ଇଦ୍ ପର୍ବର ଅଭିନନ୍ଦନ ଜଣାଇବା ସହ ନମାଜ ପଢ଼ିଥିଲେ। ପରେ ନିଜ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଇଦ୍ ପର୍ବର ଅଭିନନ୍ଦନ ଜଣାଇବା ସହ ଲଛା ଓ ବିରୀୟାନୀ ଖାଇ ଇଦ୍ ପର୍ବକୁ ଆନନ୍ଦ ଉ୍ଲାସରେ ପାଳନ କରିଥିଲେ।  ଏହି ଅବସରରେ ହାଜି ଶେଖ୍ ଅବଦୁଲ୍ ଜଲିଲ୍ କୁହନ୍ତି ଯେ ମୁସଲମାନ ମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଆଜିର ଇଦ୍ ସହ ଶେଷ ହେଲା ଦୀର୍ଘ ଏକ ମାସ ଧରିଚାଲିଥିବା ଉପବାସ। ଦିନରେ ଉପବାସ ରେ ରହି ସନ୍ଧ୍ୟାରେ ରୋଜା ପାଳନ କରିଆସୁଥିଲେ ମୁସଲମାନ ମାନେ। ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ। ଏହି ସମୟରେ ଦାନଧର୍ମ କରାଯାଇଥାଏ।  ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଅଲ୍ଲା ବର୍ଷ ଯାକର ପାପ କ୍ଷମା କରନ୍ତି ଏବଂ ପୁନ୍ୟ ମିଳିଥାଏ।  ଏବଂ ଉପବାସ ରେ ରହୁଥିବା ବ୍ୟକ୍ତି କେବଳ ଭୋକିଲା ଏବଂ ଶୋଷିଲା ରହିବା ନୁହେଁ ବରଂ ଏହାର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା । ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା, ଏହି ଉପବାସର ଅର୍ଥ ହେଉଛି ପାପ କାମଠାରୁ ଦୂରେଇ ରହିବା।  ତେଣୁ ରମଜାନରେ ଉପବାସ କରୁଥିବା ବ୍ୟକ୍ତିଙ୍କୁ ନିଜର ବିଶ୍ୱାସକୁ ପ୍ରାଧାନ୍ୟ ଦେବାକୁ ପଡ଼ିଥାଏ। ଆଜି ଇଦ୍ ନମାଜ ପଢ଼ିବା ସହ ଦେହରେ ଇତର୍ ଓ ଆଖିରେ ସୂର୍ମା ଲଗାଇ ନୂଆ ପୋଷାକ ପିନ୍ଧି ଇଦ୍ ପର୍ବକୁ ଶ୍ରଦ୍ଧାର ସହ ପାଳନ କରାଯାଇଛି।