ଆଜି ଆନ୍ତର୍ଜାତିକ ଜନଜାତି ଦିବସ

ବୁରୋ ରିପୋର୍ଟ: ଆଜି ଆନ୍ତର୍ଜାତିକ ଜନଜାତି ଦିବସ । ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏହି ଦିବସ ପାଳନ ନେଇ ଘୋଷଣା ପରେ ୧୯୯୪ ମସିହାରୁ ଏହା ପାଳିତ ହୋଇଆସୁଛି । ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଆନ୍ତର୍ଜାତିକ ଜନଜାତି ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ ଦେଶରେ ବସବାସ କରୁଥିବା ଜନଜାତି ସଂପ୍ରଦାୟର ଲୋକଙ୍କ ଅଧିକାରର ସୁରକ୍ଷା ଓ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ଲକ୍ଷ୍ୟ ।
ପରିବେଶ ସୁରକ୍ଷା ସହ ଜଡିତ ସମସ୍ୟାଗୁଡିକର ସମାଧାନ ଦିଗରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସମ୍ମାନିତ କରାଯାଇଥଏ । ଆଦିବାସୀମାନେ ହେଉଛନ୍ତି ବିବିଧ ସଂସ୍କୃତି, ପରମ୍ପରା, ଭାଷା ଓ ଜ୍ଞାନର ଗନ୍ତାଘର । ବିଶ୍ବର ୯୦ଟି ଦେଶରେ ପ୍ରାୟ ୪୭.୬ କୋଟି ଆଦିବାସୀ ଲୋକ ବସବାସ କରନ୍ତି । ଯାହାକି ବିଶ୍ବ ଜନସଂଖ୍ୟାର ୬.୨ ପ୍ରତିଶତ । ୨୦୧୧ ଜନଗଣନା ଅନୁଯାୟୀ ଭାରତୀୟ ଜନସଂଖ୍ୟାର ୮.୬ ପ୍ରତିଶତ ହେଉଛନ୍ତି ଜନଜାତି ସଂପ୍ରଦାୟର ଲୋକେ । । ଭାରତରେ ୭ଶହ ଆଦିବାସୀ ସମ୍ପ୍ରଦାୟର ଲୋକ ରହିଥିବା ବେଳେ ଓଡ଼ିଶାରେ ୬୨ ପ୍ରକାରର ଆଦିବାସୀ ବସବାସ କରନ୍ତି । ଏହି ଆଦିବାସୀମାନେ ପ୍ରାୟ ୭୨ ପ୍ରକାରର ଭାଷା ବ୍ୟବହାର କରନ୍ତି ।
ଚଳିତବର୍ଷ ଆଦିବାସୀ ଦିବସ ପାଳନର ଥିମ ରହିଛି ‘ପରିବର୍ତ୍ତନ ଦୂତ ଭାବେ ଆଦିବାସୀ ଯୁବପୀଢିଙ୍କ ଭୂମିକା’ । ଜାତିସଂଘର ରିପୋର୍ଟ ଅନୁଯାୟୀ, ଆଦିବାସୀମାନଙ୍କୁ ସେମାନଙ୍କର ଭୂମି, ସଂସ୍କୃତି ଓ ଭାଷା ଠାରୁ ଦୂରେଇ ରଖାଯାଉଛି । ଏପରିକି ସେମାନେ ଅର୍ଥନୈତିକ ଓ ରାଜନୈତିକ କାର୍ୟ୍ୟକଳାପ ଠାରୁ ମଧ୍ୟ ଦୂରରେ । ତେଣୁ ଆଦିବାସୀମାନଙ୍କ ଅସ୍ତିତ୍ବ ଏବେ ବିପଦରେ ।.