(ରିପୋର୍ଟସ ଟୁଡ଼େ): ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଝିଙ୍କ ଯୋଗୁଁ ନୁହେଁ ବରଂ ଜାଲରେ ପଡ଼ିବା ଦ୍ୱାରା ସୃଷ୍ଟ ଆଘାତ କାରଣରୁ ହୋଇଥିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଘଞଉଇ) ଓ ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଡଓଓ) ପ୍ରତିନିଧି ଦଳ ଦେଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।
ଏନ୍ଟିସିଏର ଅମିତ ମଲ୍ଲିକ ଓ ଡବ୍ଲ୍ୟୁଆଇଆଇର କେ. ରମେଶ ଆଜି ଏନ୍ଟିସିଏ ଡିଜି ଅନୁପ ନାଏକଙ୍କୁ ମହାବୀର ମୃତ୍ୟୁର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ତଦନ୍ତକାରୀ ଟିମ୍ ଖଣ୍ଡନ କରିଛନ୍ତି । ଜଙ୍ଗଲରେ ବାରହା ଶୀକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଯାଇଥିଲା ମହାବୀର । ଫାଶରୁ ମୁକୁଳିବାକୁ ଚେଷ୍ଟା କରିବା ବେଳେ ତା ବେକରେ ଗଭୀର ଆଘାତ ଲାଗିଥିଲା । ଏହା ଧିରେ ଧିରେ ସଂକ୍ରମଣ ହୋଇ ସେପ୍ଟିସେମିଆରେ ପରିଣତ ହୋଇଥିଲା । ଯାହାଦ୍ୱାରା ମହାବଳର ମୃତ୍ୟୁ ହୋଇଛି ବୋଲି ବିଶେଷଜ୍ଞ ଟିମ୍ ତଦନ୍ତ ରିପୋର୍ଟରେ କହିଛି ।
ତେବେ ପୂର୍ବରୁ ଶବ ବ୍ୟବଚ୍ଛେଦ ବେଳେ କୁହାଯାଇଥିଲା ଯେ ମହାବୀର ଝିଙ୍କ ଶୀକାର କରି ଖାଇଥିବାରୁ ତାର ମୃତ୍ୟୁ ହୋଇଥିଲା । କାରଣ ବ୍ୟବଚ୍ଛେଦ ବେଳେ ତା ପେଟରୁ ଝିଙ୍କ କଣ୍ଟା ବାହାରିଥିଲା । ଯେଉଁଥିପାଇଁ ତା ଗଳାରେ ସଂକ୍ରମଣ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗତ ଜୁନ୍ ମାସରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ଅଣାଯାଇଥିଲା । ମାତ୍ର ନଭେମ୍ବର ୧୪ ତାରିଖରେ ରାଇଗୋଡ଼ାରୁ ନୂଆଗଡ଼ ରାସ୍ତାର ୫୦୦ ମିଟର ଦୂରରେ ତା’ର ମୃତ ଦେହ ମିଳିଥିଲା । ଏ ନେଇ କେନ୍ଦ୍ରୀୟ ଟିମ୍ ତଦନ୍ତ କରିଥିଲା । ଏହାରି ମଧ୍ୟରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି ।