କେନ୍ଦୁଝର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ରାଜ୍ୟର ସମସ୍ତ ଶିବାଳୟ।
କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ, ‘ମୁର୍ଗା ମହାଦେବ’ଙ୍କ ଠାରେ ଆଜି ହଜାର ହଜାର ବୋଲବମ୍ କାଉଡ଼ିଆ ଜଳାଭିଷେକ କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭୋଳାନାଥଙ୍କ ଏହି ଶୈବପୀଠରେ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ସଂଖ୍ୟାରେ ବୋଲବମ୍ ଭକ୍ତ ଆସି ଜଳାଭିଷେକ କରିଛନ୍ତି । ବାସୁଦେବପୁର ନିକଟରେ ପ୍ରବାହିତ ପବିତ୍ର ବୈତରଣୀ ନଦୀରେ ଶ୍ରଦ୍ଧାଳୁ ମାନେ ବଡ଼ି ଭୋର ସମୟରେ ବୁଡ଼ ପକାଇ ପୂଜାର୍ଚ୍ଚନା କରି ପାଣି ଉଠାଇ ଥିଲେ । ପାଣି ଭାରକୁ କାନ୍ଧେଇ ୧୩ କି. ମି. ରାସ୍ତା ଚାଲିଚାଲି ଯାଇ ଠାକୁରାଣୀ ପର୍ବତ ଉପରେ ଥିବା ମୁର୍ଗା ମହାଦେବଙ୍କ ମନ୍ଦିରରେ ଭୋଲାନାଥଙ୍କ ମସ୍ତକରେ ଜଳ ଲାଗି କରିଛନ୍ତି କାଉଡ଼ିଆ । ବୋଲ୍ ବମ୍…ହର ହର ବମ୍ ଧ୍ଵନୀରେ ପୁରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ଶିବ ଲିଙ୍ଗରେ ଜଳାଭିଷେକ କଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ଆଜି ପ୍ରଥମ ସୋମବର ହୋଇଥିବାରୁ ମୂର୍ଗାମହାଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବୋଲବମ୍ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ଏବଂ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାକରାଯାଇଥିଲା।