ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ସାରା ବିଶ୍ୱ। ଚଳିତ ବର୍ଷ ଏହି ଦିବସରେ ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରାୟ ୭ହଜାର ଲୋକଙ୍କ ସହ ସାମିଲ ହୋଇ ଯୋଗ କରିଛନ୍ତି ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ପ୍ରତି ସାରା ବିଶ୍ୱ ଆକର୍ଷିତ ହୋଇଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ।
ସେହିପରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ସାମିଲ ହୋଇଛନ୍ତି । କଳିଙ୍ଗ ଷ୍ଟ୍ରାଡିୟମରେ ଜନ ସାଧାରଣଙ୍କ ସହ ଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ଯୋଗ କେବଳ ଶରୀର ପାଇଁ ନୁହେଁ ବରଂ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରା ଓଡିଶାରେ ଯୋଗ ଦିବସ ପାଳନ କରାଯାଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଯୋଗ ଦିବସ ପାଳନର ଥିମ ରହିଛି ନିଜର ଓ ସମାଜ ପାଇଁ ଯୋଗ । ଶାରୀରିକ , ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈଦିନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ।