ମାତିଛନ୍ତି ଚୋରଦଳ, ବଢିଛି ପୋଲିସର ଚିନ୍ତା

ରାତି ପାହିଲେ ଆସୁଛି ନୂଆ ଏକ ଚୋରୀ ଘଟଣା ପୌରାଞ୍ଚଳରେ ସିସି କ୍ଯାମେରା ଲାଗିବା ପରେ ସହର ବାହାରେ ବଢୁଛି ଚୋରି

ଗୁଣପୁର :  ପୌରାଞ୍ଚଳରେ ୪୬ ଲକ୍ଷ ଟଙ୍କା ବ୍ଯୟରେ ୧୧୬ ଟି ସିସି କ୍ଯାମେରା ଲାଗିବା ପରେ ପୁରା ସହର ଏବେ କ୍ଯାମେରା ଲେନ୍ସରେ କଏଦ୍ ହେଉଛି। ଯାହା ଫଳରେ  ଚୋରଦଳ ଏବେ ସହର ବାହାରେ ମାତିଛନ୍ତି। ବିଭିନ୍ନ ଫାର୍ମ ହାଉସ ଉପରେ ଦିନରେ ନଜର ରଖି ରାତି ହେଲେ କଭାଟ ଭାଙ୍ଗି ଚୋରି କରୁଛନ୍ତି। ଗତ ତିନି ରାତିରେ ଏଭଳି ତିନୋଟି ଘଟଣା ଲାଗ୍ ଲାଗ୍ ହୋଇଛି। ଗତ ୨୩ ତାରିଖ ରାତିରେ ସ୍ଥାନୀୟ ଲିମାମେଡାରେ ଥିବା ବିଜୟନନ୍ଦ ରଥଙ୍କ ଫାର୍ମ ହାଉସରେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରି ହୋଇଥିଲା ।  ତାପର ଦିନ ଗାଦିଆଖଳା ନିକଟରେ ଥିବା ଶ୍ରୀଧର ଚୌଧୁରୀଙ୍କ ଫାର୍ମ ହାଉସରୁ ଚୋରୀ ହୋଇଥିଲା। ଗତକାଲି ରାତିରେ ପଣସଗୁଡା ସ୍ଥିତ ସ୍ବାଭିମାନ ଛକରେ ଥିବା ରଜତ ପାଢିଙ୍କ ଫାର୍ମ ହାଉସରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଛି। ବିଜୟନନ୍ଦଙ୍କ ଫାର୍ମ ହାଉସରୁ ଘାସକଟା ମେସିନ୍, ଗ୍ଯାସ ସିଲିଣ୍ଡର, ଷ୍ଟୋବ୍, ରୋଷେଇ ସାମଗ୍ରୀ, ବ୍ଲୁ ଟୁଥ୍ ସ୍ପିକର୍ ଗୋଟିଏ, ନଗଦ ୭ ହଜାର ଟଙ୍କା ଓ ତିନୋଟି ହାଲୋଜିନ୍ ଲାଇଟ୍ ଚୋରି କରିଥିଲେ। ଏସବୁର ଆନୁମାନିକ ମୁଲ୍ଯ ଏକଲକ୍ଷ ପାଖାପାଖି ହବବୋଲି ଜଣାପଡିଛି।  ଏ ସମ୍ପର୍କରେ ବିଜୟାନନ୍ଦ ଥାନାରେ ଏତଲା ଦେବାସହ ତାସହ ଫାର୍ମ ହାଉସରେ ଚୋରି ବେଳର ଭିଡିଓ ଫୁଟେଜ୍ ମଧ୍ୟ ଦେଇଛନ୍ତି।

ତାପରେ ଗାଦିଆଖଳା ନିକଟସ୍ଥ ଶ୍ରୀଧରଙ୍କର ଫାର୍ମ ହାଉସରୁ ସେମିତି ଗୋଦାମ ଘର ଭାଙ୍ଗି ତିନୋଟି ୫ଏଚପି ମଟର ଓ ତିନୋଟି ୨ଏଚପି ମଟର ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ସେମିତି ରଜତଙ୍କ ଫାର୍ମ ହାଉସରୁ  ଗୋଟିଏ ଖୁସାଗାଡ଼ି (ହିରୋହୋଣ୍ଡା ପାୱାର ୱିଡର),ଗୋଟିଏ ଔଷଧ ସ୍ପ୍ରେ ମେସିନ,ତିନୋଟି କାଟାଉଟ୍ ଇଲେକ୍ଟ୍ରି ସାମଗ୍ରୀ, ଗଛରେ ପକେଇବା କୀଟନାଶକ ଔଷଧ ,କେତେକ କୃଷି ଉପକରଣ, ଗୋଟିଏ ପେଟ୍ରୋଲ ଭର୍ତି ହୋଇଥିବା କେନ୍ ଓ ସାର କିଣିବାପାଇଁ ରଖାଯାଇଥିବା ନଗଦ ୧୨୫୦୦ ଟଙ୍କା ଚୋରି ଯାଇଛି। ଏହି ଘଟଣା ସମ୍ପର୍କରେ ମଧ୍ୟ ଆଜି ଥାନାରେ ଅଭିଯୋଗ ହୋଇଛି। ଲଗାତର ଭାବେ ତିନୋଟି ଏକାଭଳି ଘଟଣା ଘଟିବା ସହ ଏକା ଢଙ୍ଗରେ ଚୋରି ହୋଇଛି। ତିନୋଟି ଯାକ ଘଟଣାରେ ଗାଡି ରାସ୍ତା ଉପରେ ରଖି ଫାର୍ମର ଘର କବାଟ ଭାଙ୍ଗି ଜିନିଷ ଗୁଡାକ ବୋହିକୀ ଆଣି ଗାଡିରେ ଲୋଡ୍ କରି ନିଆଯାଇଥିବା ଜଣାପଡୁଛି। ଏଣୁ ଏସବୁ ଗୋଟିଏ ଦଳର କାର୍ଯ୍ଯ ବୋଲି ସନ୍ଦେହ କରାଯାଉଛି। ଏସବୁ ଏତଲା ପାଇବା ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ବୋଲି ଆଇଆଇସି ଉତମ ସାହୁ ପ୍ରକାଶ କରିଛନ୍ତି।