ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକରେ ଆସି ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

0

ଅନୁଗୋଳ (ସୁଧାକର ସାହୁ): ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ସୂଚନା ଅନୁସାରେ, ଜରଡା ଗ୍ରାମର ଭିମ ବେହେରାଙ୍କ ପୁଅ ବାପି ବେହେରା । ତାଙ୍କ ବୟସ ମାତ୍ର ୨୬ ବର୍ଷ । ବାପିଙ୍କ ସହ ଗତ କାଲି ସନ୍ଧ୍ୟା ସମୟରେ କିଛି ଯୁବକ ଆସି ଝଗଡ଼ା କରିବା ସହ ମାଡ ମାରିଥିଲେ । ଯାହା ଫଳରେ ଜରପଡ଼ା ଥାନାରେ ବାପିଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ। ସେହି ଯୁବକ ମାନେ ବାପିଙ୍କ ପରିବାର ଲୋକ ଙ୍କୁ ଅଭିଯୋଗ ନ ଉଠାଇଲେ ହାଣି ଦେବୁ ବୋଲି ଧମକ ଦେଇଥିଲେ। ଆଜି ସକାଳ ୧୦ ଘଟିକା ବେଳେ ବାପି ଘରେ ଥିବା ଅବସ୍ଥାରେ ସେହି ଯୁବକଙ୍କ ମାନେ ବାଇକ୍ ରେ ଆସି ବାପିଙ୍କୁ ଗୋଡାଇ ଗୋଡାଇ ହାଣି ଥିଲେ। ଯାହା ଫଳରେ ବାପି ଗୁରୁତର ହୋଇଥିଲେ।

ପରିବାର ଲୋକ ଆମ୍ବୁଲାନ୍ସ ଯୋଗ ବାପିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ବାପିଙ୍କର ଗୋଡ, ଅଣ୍ଟା ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି। ବାପିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ବାପି ଙ୍କ ସ୍ତ୍ରୀ ଘଟଣା ବିଷୟରେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଏବେ ଦେଖିବା ବାକି ରହିଲା ଯେ, ବାପିଙ୍କୁ ଆକ୍ରମଣ କରିଥିବା ଯୁବକ ମାନଙ୍କ ଉପରେ ପୋଲିସ କେଉଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ।