ସଂଘବଦ୍ଧ ଭାବେ ଆକ୍ରମଣ କରି ଲୁହାଣ କଲେ

ପୁରୀ ମାଟିଆପଡ଼ା ଛକ ନିକଟରେ ଆତଙ୍କ ଖେଳାଇଛନ୍ତି ଖଣ୍ଡାଧାରୀ ଦୁର୍ବୃତ୍ତ । ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି । ପ୍ରଥମେ ଦୁଇ ଆହତଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରକୁ  ସ୍ଥାନାନ୍ତର କରାଯାଇଛି । ଖବର ପାଇ ତାଳବଣିଆ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚିବା ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଘଟଣା ଅନୁସାରେ ମାଟିଆପଡ଼ା ଛକର ରବି ଗୋଚ୍ଛାୟତଙ୍କ ପୁଅ ରଞ୍ଜିତ ଗୋଚ୍ଛାୟତ ଓ ରାକେଶ କୁମାର ବାରିକ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଖରେ ବସି କଥାବାର୍ତ୍ତା ହେଉଥିଲେ । ସେଠାରେ ରାମଚଣ୍ଡି ସାହି ବାଲିଉପର ବସ୍ତିର ତିନିଜଣ ଯୁବକ ପହଞ୍ଚିଥିଲେ। କୌଣସି କାରଣକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ମାରଣାସ୍ତ୍ର ବାହାର କରି ରାକେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣରେ ରାକେଶ ଗୁରୁତର ଆହତ ହୋଇଥିବା ବେଳେ ସେଠାରେ ଥିବା ରଞ୍ଜିତ ମଧ୍ୟ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଲୋକେ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।