ଭୁବନେଶ୍ୱର: ଓଡ଼ିଆରେ ଗୋଟେ ଢଗ ଅଛି । ଅଲାଜୁକ ମୁହଁରେ ବଥ ଉଠିଲେ ସେ କୁହେ ଛାଇ ହୋଇଛି । ଆଜି ବିଜେଡ଼ି ଅବସ୍ଥା ସେମିତି ହୋଇଛି। ୨୦୧୫ରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯେବେଠୁ ଟଙ୍କିକିଆ ଚାଉଳ କେନ୍ଦ୍ର ଦେଉଛି, ସେବେଠୁ ଆମେ ଦେଉଛୁ କହି ଆଜି ପର୍ଯ୍ୟନ୍ତ ଚଲେଇ ଥିଲେ । ଲୋକଙ୍କୁ ଭ୍ରମିତ ଓ ବିଭ୍ରାନ୍ତ କରୁଥିଲେ । ତେବେ ଯେତେବେଳେ ବିପର୍ଯ୍ୟୟ ସମୟ ଆସିଲା, ପ୍ରଧାନମନ୍ତ୍ରୀ ଅତିରିକ୍ତ ୫ କେଜି ଚାଉଳ ଦେଲେ। ସେତେବେଳେ ମଧ୍ୟ କହିଲେ ଯେ ଏ ଚାଉଳ ଆମେ ଦେଉଛୁ, ସେ ଚାଉଳ କେନ୍ଦ୍ର ଦେଉଛି। କିନ୍ତୁ ଏବେ କେନ୍ଦ୍ର ସରକାର ଚାଉଳକୁ ସମ୍ପୂର୍ଣ୍ଣ ମାଗଣା କରିଛନ୍ତି । ଏହାଦ୍ୱାରା ନା ରାଜ୍ୟ ଉପରେ କୌଣସି ବୋଝ ରହିବ ନା ଲୋକଙ୍କ ଉପରେ ବୋଝ ରହିବ । ଏହି କଥାକୁ ନେଇ ବିଜେଡ଼ି ନେତାଙ୍କର ବହୁତ ଗାତ୍ରଦାହ ଆରମ୍ଭ ହୋଇଛି। ଆଉ ଲୋକଙ୍କୁ ମିଛ କହି ଭ୍ରମିତ କରିପାରିବେନି କି ଭୋଟ ନେଇପାରିବେନି ।
ସେଥିପାଇଁ ବିଜେଡ଼ି ନେତା ମାନଙ୍କୁ ଭାରି କଷ୍ଟ ହେଉଛି । ତେଣୁ ଆଉ ଗୋଟିଏ ନୂଆ ମିଛ ଆରମ୍ଭ କରିଛନ୍ତି, ଯେ କାହିଁକି ସେ ବିପର୍ଯ୍ୟୟ ସମୟର ଚାଉଳ ବନ୍ଦ ହୋଇଗଲା। ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କର ଅନେକ ଯୋଜନା ହୋଇଥିଲା । ଓଡିଶାରେ ମଧ୍ୟ ତାକୁ ତାଳ ଦେଇ ମୁଖ୍ୟମନ୍ତ୍ରୀ କିଛି ଯୋଜନା ଆରମ୍ଭ କରିଥିଲେ । ଯଦି ବିପର୍ଯ୍ୟୟ ସମୟର କେନ୍ଦ୍ର ଯୋଜନା ପୁଣି ଆରମ୍ଭ ହେବ। ତେବେ ରାଜ୍ୟ ସରକାର ମଧ୍ୟ ସେ ସମୟର ଯୋଜନା ଗୁଡିକୁ ଆରମ୍ଭ କରନ୍ତୁ ବୋଲି ଦାବି କଲା ବିଜେପି । ମିଛ କହି ରାଜନୀତି କରିବାର ଗୋଟିଏ ସୀମା ଅଛି । ତେଣୁ ସେ ସୀମା ପାର ନହେଉ ବିଜେଡ଼ି । ଏଭଳି ମିଛ କହି ଆନ୍ଦୋଳନ କରିବା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କର ସଦବୁଦ୍ଧି ଉଦୟ ହେଉ ଏବଂ ଓଡିଶାର ବିକାଶ କେମିତି ହେବ ସେ ଵିଷୟରେ ଅଧିକ ଚିନ୍ତା କରନ୍ତୁ ବୋଲି କହିଛନ୍ତି ସାଧାରଣ ସମ୍ପାଦକ,ରାଜ୍ୟ ବିଜେପି ପୃଥ୍ୱୀରାଜ ହରିଚନ୍ଦନ।