ମେଡିକାଲରୁ ଶିଶୁ କନ୍ୟା ଚୋରି

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଘଟଣା । ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରୀ ନେଇ ହୋଇଛି ଅଭିଯୋଗ । ଜଣେ ଅଜଣା ମହିଳା ଚିକିତ୍ସାଳୟରୁ ଶିଶୁ ଚୋରି କରିବା ଘଟଣା ସାମନାକୁ ଆସିଛି ।
ଗତକାଲି ବୀରମହାରାଜପୁର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ସେହି ବିଭାଗରେ ଶଯ୍ୟା ଅଭାବରୁ ମା’ ଓ ଶିଶୁ ଉଭୟ ପ୍ରସୂତି ୱାର୍ଡ଼ର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ ।
କିନ୍ତୁ ଆଜି ସକାଳୁ ସନ୍ତୋଷିନୀ କିଛି ସମୟ ପାଇଁ ସେଠାରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଶାଶୁ ପିଲାଟିକୁ ଧରିଥିଲେ । ଏହି ସମୟରେ ଜଣେ ଅଜଣା ମହିଳା ଶିଶୁଟିକୁ ଧରିବା ପାଇଁ କହି ତାଙ୍କ କୋଳରୁ ନେଇ ଫେରାର ହୋଇ ଯାଇଥିବା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣାପଡ଼ିଛି ।