ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କ ବେକ କାଟି ଦେଲା ଯୁବକ

ରାୟଗଡା : ପରୀକ୍ଷା ଦେଇ ଫେରୁଥିଲେ ଯୁକ୍ତ ଦୁଇ ଛାତ୍ରୀ । ଆଉ ସେତିକି ବେଳେ ରାସ୍ତା ଉପରେ ଛାତ୍ରୀଙ୍କ ବେକ କାଟି ଦେଲା ଯୁବକ । ଛୁରୀରେ ବେକ କାଟି ଦେବା ଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଧରା ପଡିଛି ଅଭିଯୁକ୍ତ ଯୁବକ । ଏପରି ଅଘଟଣ ଘଟିଛି ରାୟଗଡା ଜିଲ୍ଲାରେ । ଛାତ୍ରୀଙ୍କ ଘର ବିଷମ କଟକରେ । ସେ ଗୁମୁଡା ସ୍ଥିତ ଦ୍ରୌପଦୀ କଲେଜରେ ପଢନ୍ତି । ଏଠାରେ ସେ ଯୁକ୍ତ ଦୁଇ କଳାରେ ପଢୁଛନ୍ତି । ଆଜି ସେ ପରୀକ୍ଷା ଦେଇ ଫେରୁଥିବା ବେଳେ ହଠାତ୍ ଜଣେ ଯୁବକ ତାଙ୍କୁ ରାସ୍ତା ମଝିରେ ଅଟକାଇ ଥିଲା । ଏବଂ ନିଜ ପକେଟରୁ ଛୁରୀ ବାହାର କରି ବେକ କାଟି ଦେଇଥିଲା । ଛାତ୍ରୀ ଜଣକ ଯନ୍ତ୍ରଣାରେ ଚିକ୍ରାର କରିବାରୁ ସ୍ଥାନୀୟ ଲୋକେ ଦଉଡି ଆସିଥିଲେ । ଯୁବକକୁ କାବୁ କରିବା ସହିତ ଆହତ ଛାତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀଡ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇ ଦିଆ ଯାଇଛି । ତେବେ ଆକ୍ରମଣ କରିଥିବା ଯୁବକର ପରିଚୟ ମିଳି ପାରି ନାହିଁ । ସେ କାହିଁକି ବେକ କାଟିଲା ? ଏକ ତରଫା ପ୍ରେମ କରୁଥିଲା କି ? ଛାତ୍ରୀ ଜଣକ ତାଙ୍କୁ ଚିହିଁଛନ୍ତି କି ନାହଁ ? ତାହା ଜଣା ପଡି ନାହିଁ ।