ବସବାଗୁଲି ପାହାଡ଼ର ପଥର ଫଟାଇବା ନିଲାମକୁ ବିରୋଧ କଲେ ଗ୍ରାମବାସୀ

ଖୋର୍ଦ୍ଧା : ବାଣପୁର ବ୍ଲକ ଅଧିନସ୍ଥ କୁଲେଇ ଗ୍ରାମପଞ୍ଚାୟତର ନୀଳକଣ୍ଠପୁର ମୌଜାରେ ଅଛି ବସବାଗୁଲି ପାହାଡ଼। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଉକ୍ତ ପାହାଡ଼ରୁ ପଥର ନେବାପାଇଁ ଜନୈକ ନିଲାମଧାରୀ ଲିଜ ଗ୍ରହଣ କରିଛନ୍ତି । ପଥର ଫଟାଇବା ପରେ ସ୍ଥାନୀୟ ଅଧିବାସୀ ଉକ୍ତ ନୀଲାମକୁ ବିରୋଧ କରିଛନ୍ତି । ଗ୍ରାମବାସୀ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ପୂର୍ବରୁ ଅଭିଯୋଗ ପ୍ରଦାନ କରାଯାଇଥିବା ବେଳେ ବୁଧବାର ଅପରାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ତହସିଲଦାରଙ୍କୁ ଭେଟି ଉକ୍ତ ଲିଜ ଉପରେ ରୋକ ଲଗାଇବା ନିମନ୍ତେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ କରିଥିବା ଅଭିଯୋଗ ଅନୁଯାୟୀ ଉକ୍ତ ପାହାଡରେ ବିଭିନ୍ନ ପ୍ରକାର ଔଷଧ ଜାତୀୟ ବୃକ୍ଷ ଏବଂ ନାନା ପ୍ରଜାତିର ବନ୍ୟ ଜୀବଜନ୍ତୁ ବାସକରନ୍ତି ।

୫୦ ହେକ୍ଟର ପାହାଡ଼ ଜାଗାରେ ଟାଙ୍ଗୀ ଓ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗ୍ରାମବାସୀଙ୍କୁ ପ୍ରକୃତିମିତ୍ରର ଉପାଧି ମଧ୍ୟ ମିଳିଛି। ଅଂଚଳର ମାଟି କଳାମାଟି ହୋଇଥିବାରୁ ପଥର ଫଟାଇବା ଦ୍ୱାରା ଘର ଗୁଡିକ ଉପରେ ବିପଦ ସୃଷ୍ଟି କରିବ । ପାହାଡ଼ର ଚାରିପଟେ କୁଲେଇ, ଗୋତପଲି, ଗମେଇ, ଦୀନବନ୍ଧୁପୁର, ମନେଇ ମାନସିଂହପୁର ଗ୍ରାମର ପ୍ରାୟ ୨୦୦୦ ରୁ ଅଧିକ ଜନବସତି ବାସ କରନ୍ତି। ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧା ତତସହିତ ହୃଦରୋଗୀ ଅଛନ୍ତି । ପାହାଡର ସଂଗୃହିତ ଜଳକୁ ସଂରକ୍ଷିତ ରଖି ଚାଷ କାର୍ୟ୍ୟରେ ବିନିଯୋଗ କରାଯାଏ । ହଜାର ହଜାର ସଂଖ୍ୟରେ ଗାଈଗୋରୁଙ୍କର ଉକ୍ତ ପାହାଡ଼ ଚରାଭୂଇଁ ଅଟେ । ଏହାକୁ ଖାଦାନ କରାଯିବ ନାହିଁ ବୋଲି ବିରୋଧ କରିଛନ୍ତି ।