(ଦିଲ୍ଲୀପ ସାହୁ / ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି।ତିନି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି।ଭୋଟରଙ୍କୁ ନିଜ ଦଳ ଆଡକୁ ଟାଣିବା ପାଇଁ ଭରପୁର ଉଦ୍ୟମ କରାଯାଇଛି।
ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସମସ୍ତ ତିନୋଟି ବ୍ଲକ ଅଞ୍ଚଳରେ ମାରାଥନ ପ୍ରଚାର କରିଛନ୍ତି।ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର, ବିଶୁନପୁର, କନିମୁଳ, ଦାଇଁଲୋ, ଗୋପାଳପୁର-ଶଙ୍ଖେଶ୍ୱର ଆଦି ମହାନଦୀ-ପାଇକା ଦ୍ୱିପାଞ୍ଚଳର ପାଞ୍ଚଟି ପଞ୍ଚାୟତରେ ରୋଡ ସୋ କରି ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ପ୍ରଚାର କରିଥିବା ବେଳେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମହିଳାମାନେ ଉତ୍ସହିତ ସମ୍ବର୍ଦ୍ଧନା ଜଣାଇଥିଲେ।।ଧର୍ମେନ୍ଦ୍ର ପ୍ରଧାନଙ୍କୁ ତିର୍ତ୍ତୋଲ, ଶାରଳାରୋଡ ଠାରେ ମଧ୍ୟ ଦଳୀୟ ଶତାଧିକ କର୍ମୀ ସମ୍ବର୍ଦ୍ଧନା ଦେଇଥିଲେ।ଶାରଳାଙ୍କ ମନ୍ଦିର ଦେଇ ବିଜେପିର ନିର୍ବାଚନୀ ପ୍ରଚାର କନକପୁର,ମୁଳିସିଂ, ବିରିତୋଳ, ସଅଁରା ପଞ୍ଚାୟତ ଦେଇ ରଘୁନାଥପୁର ବ୍ଲକର ଏରଡଙ୍ଗା, ଛପଡା, ତାରପୁର, ରଘୁନାଥପୁର,ଗଡମା ଆଦି ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ସାଙ୍ଗରେ ନେଇ ପ୍ରଚାର କରିଥିଲେ।ସେହିପରି ବିରିଡି ବ୍ଲକ ଅଞ୍ଚଳରେ ମଧ୍ୟ ରୋଡ ସୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଜଟଣୀ ବିଧାୟକ, ସୁର ରାଉତରାୟ, କଂଗ୍ରେସ ନେତା ବାପି ସର୍ଖେଲ ଓରଫ ଅରିନ୍ଦମ ସର୍ଖେଲ,କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କ ସହ ମହାନଦୀ-ପାଇକା ଦ୍ୱିପାଞ୍ଚଳର ବିଶୁନପୁର, କନିମୁଳ, ଦାଇଁଲୋ, ଗୋପାଳପୁର-ଶଙ୍ଖେଶ୍ୱର ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିବା ସହ ତରଜଙ୍ଗା, ତେନ୍ତୁଲିପଦା, ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନ ପ୍ରଚାର ଓ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।ଅନ୍ୟପକ୍ଷରେ ଶାସକ ବିଜୁଜନତା ଦଳ ପକ୍ଷରୁ ତିର୍ତ୍ତୋଲ ବ୍ଲକର ଜଗନ୍ନାଥପୁର, ଇବ୍ରିସିଂ, ତୁଳଙ୍ଗ ଓ ଗରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିର୍ବାଚନୀ ରୋଡ ସୋ ନିର୍ବାଚନୀ ସଭା କରାଯାଇଛି।ଏଥିରେ ବିଜେଡି ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସହ ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମାରାଥନ ପ୍ରଚାର କରିଛନ୍ତି।ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଛି।ନିର୍ବାଚନ ପ୍ରଚାର ଆଉମାତ୍ର ଦୁଇ ଦିନ ବାକି ଥିବା ବେଳେ ଭୋଟରଙ୍କୁ ନିଜଆଡକୁ ଟାଣିବା ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି।