ଭୁବନେଶ୍ୱର: ଯାଜପୁର କେନ୍ଦୁଝର ରୋଡ ଧାମରା ଭାୟା ଆରଡି ମଧ୍ୟରେ ଚାଲିବ ରେଲ । ଏନେଇ ଫାଇନାଲ ଲୋକେସନ ସର୍ଭେ ପାଇଁ ମଞ୍ଜୁର କରିଛି ରେଳ ବୋର୍ଡ ।୯୬ କିମି ରେଳ ଲାଇନ୍ ନିର୍ମାଣ ପୂର୍ବରୁ ଫାଇନାଲ ଲୋକେସନ୍ ସର୍ଭେ ପାଇଁ ରେଳ ବୋର୍ଡ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ଆଜି ରେଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଅଭିଷେକ ଜଗାୱତ୍ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ସୂଚନାଯୋଗ୍ୟ ଯେ ଶିଳ୍ପାଞ୍ଚଳର ମୁଖଶାଳା କୁହାଯାଉ ଥିବା ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ୍ରୁ ଧାମରା ବନ୍ଦର ପର୍ଯ୍ୟନ୍ତ ରେଳ ଲାଇନ୍ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା।
୨୦୨୩-୨୪ ବଜେଟରେ କେନ୍ଦ୍ର ସରକାର ଏଥିପାଇଁ ବ୍ୟୟବରାଦ କରିବେ ବୋଲି ଆଶା କରାଯାଉଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏ ନେଇ ଏକ ଦାବିପତ୍ର ପ୍ରଦାନ କରି ଯଥାଶୀଘ୍ର ରେଳ ଲାଇନ୍ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ଯାଜପୁରରୁ ଭଦ୍ରକର ଧାମରା ବନ୍ଦରକୁ ରେଳ ଲାଇନ୍ ସଂଯୋଗ ହେଲେ ଶିଳ୍ପ ଉତ୍ପାଦିତ ସାମଗ୍ରୀ ଓ ଖଣିଜ ପଦାର୍ଥ ପରିବହନ ହୋଇପାରିବ। ବାହାରୁ ଏଠାକାର ଶିଳ୍ପ ସଂସ୍ଥାକୁ କଞ୍ଚାମାଲ ଯୋଗାଣ ସହଜ ହେବ। ଏଥିସହ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଓ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିକୁ ଯିବା ଆସିବା ପାଇଁ ଜନସାଧାରଣ ଟ୍ରେନ୍ ସୁବିଧା ପାଇବେ।