ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ପେପର୍ ଲିକ୍ ଅଭିଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ଉପରେ ତୀବ୍ର ବିବାଦ ସତ୍ତ୍ୱେ ସୁପ୍ରିମକୋର୍ଟ ଏହାର ରାୟ ଘୋଷଣା କରିଛନ୍ତି। ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିଟ୍ ପେପର ଲିକ୍ ମାମଲାରେ ଅଦାଲତ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ସବୁ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହା ଏକ ସିଷ୍ଟୋମେଟିକ୍ ବିଫଳତା ନୁହେଁ । ପେପର ଲିକ୍ କେବଳ ହଜାରୀବାଗ ଓ ପାଟଣା ଅଞ୍ଚଳରେ ସୀମିତ ଥିଲା । ଏଥିସହ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଢାଞ୍ଚାଗତ ଦୁର୍ବଳତା ଉପରେ ଧ୍ୟାନ ଦେଇଛୁ । ଏଥିସହ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା, ପେପର ଲିକ୍ ରୋକିବାକୁ ସୁଚିନ୍ତିତ ଏସଓପି ପ୍ରସ୍ତୁତ କରିବାକୁ ସରକାର ଓ ଏନଟିଏର ଦାୟିତ୍ୱ । ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ରାୟ ବିରୋଧରେ କେହି ଅଭିଯୋଗ କରିବାକୁ ଚାହୁଁଥିଲେ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।
ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ରହିଛି । ଅଭିଯୁକ୍ତମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିଲେ । ଅଭିଯୁକ୍ତ ନୀତୀଶ କୁମାର, ଅମିତ ଆନନ୍ଦ, ଶିକନ୍ଦର ୟାଦବେନ୍ଦୁ, ଆଶୁତୋଷ କୁମାର ୱାନ, ଆଶୁତୋଷ କୁମାର ଟୁ, ରୋଶନ କୁମାର ମନୀଷ ପ୍ରକାଶ, ଅଖିଳେଖ କୁମାର, ଅଭଦେଶ କୁମାର, ଅନୁରାଦ ଯାଦବ, ଅଭିଷେକ କୁମାର, ଶିବାନନ୍ଦ କୁମାର, ଆୟୂଷ ରାଜ ପ୍ରଶ୍ନପତ୍ର ପ୍ରଘଟ ଓ ଅନ୍ୟ ଅନିୟମିତତାରେ ସାମିଲ ହୋଇଥିଲେ । ସିବିଆଇ କହିଛି ଫରେନସିକ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଛି । ମାମଲାରେ ଏଯାଏଁ ୪୦ ଜଣ ଗିରଫ ହୋଇଛନ୍ତି । ବିହାର ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ସିବିଆଇ ୫୮ଟି ସ୍ଥାନରେ ଯାଞ୍ଚ କରିଥିବାବେଳେ ୬ଟି ମାମଲା ରୁଜୁ କରିଛି ।