ଭୁବନେଶ୍ୱର: ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ରାଜ୍ୟ କଂଗ୍ରେସ ଭୋଟ ଦେବ ବୋଲି ଏକରକମ ସ୍ପଷ୍ଟ ହୋଇଯାଇଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡି଼ଶାର ଝିଅ ହୋଇଥିବାବେଳେ ତାଙ୍କୁ ଭୋଟ ଦେବା ଲାଗି ବିଜେଡି ନେତାମାନେ କଂଗ୍ରେସର ୯ ଜଣ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଅନୁରୋଧ କରିଥିଲେ। ଶନିବାର ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଦଳୀୟ ବିଧାୟକଙ୍କୁ ଭେଟି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି ଅବଗତ କରାଇଛନ୍ତି। ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଶ୍ରୀ ସିହ୍ନାଙ୍କୁ ଭୋଟ ଦେବା ଲାଗି ନିଷ୍ପତ୍ତି ନେଇଥିବା ଅବଗତ କରାଇଥିଲେ। ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗଣେଶ୍ୱର ବେହେରା ଓ ସନ୍ତୋଷ ସିଂହ ସାଲୁଜା ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସ ଏଜେଂଟ ହୋଇଛନ୍ତି। ଅନ୍ୟପଟେ ଶାସକ ବିଜେଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ପୂର୍ବରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ସାରିଛନ୍ତି। ମାଟିର ଝିଅ ଭାବେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ। ଏହାଛଡା ଅନ୍ୟ ଦଳ ଠାରୁ କିଭଳି ସମର୍ଥନ ଯୋଗାଡ କରାଯାଇପାରିବ ସେଥିପାଇଁ ଉଦ୍ୟମ କରୁଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଶ୍ନ କରାଯାଇଥିଲା। ସେମାନେ ଶ୍ରୀ ସିହ୍ନାଙ୍କୁ ସମର୍ଥନ କରିବେ ବୋଲି ସିଧାସଳଖ ଗଣମାଧ୍ୟମକୁ କହିଥିଲେ। ଦ୍ରୌପଦୀ ମୁର୍ମୁ ଓଡି଼ଶା ଗସ୍ତ ସମୟରେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ଓ ୮ ଜଣ ସାଂସଦଙ୍କ ସହିତ ଆଲୋଚନା କରିଥିଲେ। ପରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ଆଲୋଚନା କରିଥିଲେ।