ଜୟପୁର/ମନୋଜ ଦାସ: ଦକ୍ଷିଣ ପ୍ରମୁଖ ପର୍ବ ପୋଙ୍ଗଲ (ମକର ସଂକ୍ରାନ୍ତି) ହର୍ଷ ଉଲ୍ଲାସର ସହ ଜୟପୁର ସହରରେ ପାଳନ ହୋଇଛି। ସକାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୋଙ୍ଗଲ ରାନ୍ଧି ପୂଜାର୍ଚ୍ଚନା କରିବା ସହ ପତ୍ରଦାନ କରାଯାଇଥିଲା। ସଂଧ୍ୟାରେ ନାରାୟଣୀ କଲେଜ ପରିସରରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ତେଲୁଗୁ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଅଲି ବାବୁ ଆତ୍ମୀଙ୍କ ସହ କଣ୍ଠଶିଳ୍ପୀ ମୋହନ ଭୋଗରାଜ, ଏମ୍. ଅରୁଣ ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ହାଇଦ୍ରାବାଦରୁ ଆସିଥିବା ସଂଯୋଜିକା ଅନୁଶା ଓ ବୈଶାଳୀ ମଞ୍ଚ ସଂଯୋଜନା କରିଥିଲେ । ମିଲେନିୟମ୍ ଓର୍କେଷ୍ଟ୍ରା, ହାଇଦ୍ରାବାଦ ଓ କୋଲକତାର ନୃତ୍ୟ ଦଳ ଦର୍ଶକଙ୍କୁ ଝୁମାଇଥିଲେ। ବିଧାୟକ ଓ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। କଳାକାରଙ୍କ ସହ ଉଭୟ ଅତିଥି ଜୋସ୍ରେ ନାଚିଥିବା ଦେଖିବାକୁ ମିଳିଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ବଦ୍ଧିତ କରାଯାଇଥିଲା। ପୋଙ୍ଗଲ ମଂଚରେ ତାରାଙ୍କ ଜଲଓ୍ବା । ଆନ୍ନା ଲୁକରେ ନଜର ଆସିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ପତ୍ନୀ ମୀନାକ୍ଷୀଙ୍କ ହାତ ଧରି ନାଚିବା ପରେ ଟଲିଉଡ୍ ସୁନ୍ଦରୀଙ୍କ ସହ ମଂଚରେ ଠୁମକା ବି ଲଗାଇଲେ ।