ଡକାୟତି ଯୋଜନା ଫେଲ

ବ୍ରହ୍ମପୁର: ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କ ନିକଟରୁ ଅନେକ ପ୍ରକାରର ମାରଣାସ୍ତ୍ର ଜବତ କରିଛି । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରେ ।
ଗଞ୍ଜାମ ଲୋଚାପଡା- ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ କିଛି ଦୁବୃର୍ତ୍ତଙ୍କୁ କାବୁ କରିଛି ବ୍ରହ୍ମପୁର ସଦର ଥାନା ପୋଲିସ । ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଏଠାରେ ଚଢାଉ କରିବା ସହ ୫ ଜଣ ଡକାୟତଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କୁ ନିକଟରୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଥିବା ଜଣାଯାଇଛି । ଏଗୁଡିକ ମଧ୍ୟରେ ୨ଟି ଖଣ୍ଡା, ୨ଟି ଲୁହା ରଡ ଏବଂ ୪ଟି ବୋମା ରହିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଏମ. କୋହନ ରାଓ, କୁନା ଗୌଡ, ଧ୍ରୁବ ସାହୁ, ତାରିଣୀ ଦାସ ଏବଂ ଅଜିତ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।