୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶିତ

୧୭୫୬ ୱାର୍ଡରୁ ୬୬୮ଟି ୱାର୍ଡ ଅଣସଂରକ୍ଷିତ

ଭୁବନେଶ୍ୱର: ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ କାଉନସିଲରଙ୍କ ନିମନ୍ତେ ଆଜି ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତେବେ ମୋଟ ୧୭୫୬ ୱାର୍ଡରୁ ୬୬୮ଟି ୱାର୍ଡ ଅଣସଂରକ୍ଷିତ ରହିଛି । ଅନ୍ୟପଟେ ୬୧୩ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏସସିଙ୍କ ପାଇଁ ୧୨୨ଟି ଓ ଏସସି ମହିଳାଙ୍କ ପାଇଁ ୧୭୧ଟି ୱାର୍ଡ ରହିଛି । ସେହିପରି ଏସଟିଙ୍କ ପାଇଁ ୪୯ଟି, ଏସଟି ମହିଳାଙ୍କ ପାଇଁ ୧୩୩ଟି ୱାର୍ଡ ସଂରକ୍ଷିତ ରହିଛି ।

ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହାପରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ ହୋଇପାରିବ । ଫେବ୍ରୁଆରୀ ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦାବି ଓ ଆପତ୍ତି ଗୁଡିକର ତଦନ୍ତ ଓ ଫଇସଲା ହେବ । ଏହାପରେ ଫେବ୍ରୁଆରୀ ୨୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ । ଏନେଇ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।