ଦଳର ସହାନଭୂତି ଭୋଟ ପିପିଲି ପାଇଁ ଆଣିଦେବ ଅନେକ ଯାତନା

ଭୁବନେଶ୍ୱର: ବିଜେଡିର ବାହୁବଳୀ ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଅନେକଙ୍କୁ ବ୍ୟଥିତ କରିଥିଲା । କିନ୍ତୁ ତାଙ୍କ ନିଧନ ପରେ ପିପିଲିରେ ଶାନ୍ତି ଫେରିବ ବୋଲି ଆଶାବାନ୍ଧି ବସିଛନ୍ତି ପିପିଲି ବାସୀ । ଦୀର୍ଘ ଦିନର ଅଶାନ୍ତ ପିପିଲିରେ ଫେରିବ ଶାନ୍ତି । ପୁଣି ଲୋକେ ସାଧାରଣ ଜୀବନ ଯାପନ କରିବେ । ଭୟହୀନ, ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବେ ସେଠାକାର ଲୋକେ । ପିପିଲିରୁ ଅରାଜକାତ ଦୂର ହେବ । ଦୂର ହେବ ଆତଙ୍କରାଜ ।
କିଛି ବର୍ଷ ପୂର୍ବର ପିପିଲି କହିଲେ ମନେପଡେ ଗୁଣ୍ଡାଗିରି, ବୋମା ବିସ୍ଫୋରଣ, ହାଣକାଟ, ରକ୍ତର ହୋଲି । ଦିନ ନାହିଁ ରାତି ନାହିଁ କେତେବେଳେ ଫୁଟୁଥିଲା ବୋମା, କେତେବେଳେ କିଏ କାହାକୁ ହାଣୁଥିଲା, କିଏ କାହାକୁ ମାରୁଥିଲା ତାର ନଥିଲା କିଛି ଠିକଣା । ଏମିତି ସ୍ଥିତି ଥିଲା କି ଲୋକେ ଦିନରେ ମଧ୍ୟ ଘରୁ ବାହାରିବାକୁ ମଣୁନଥିଲେ ନିରାପଦ । ଜଣେ ଘରୁ ଗୋଡ କାଢିବା ପରେ ଘରେ ନ ପହଞ୍ଚିବା ଯାଏ ପରିବାର ବର୍ଗଙ୍କୁ ଘାରୁଥିଲା ନାନା ଆଶଙ୍କା । ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଗଲେ କେତେ ଜଣଙ୍କ ଜୀବନ ଯାଉଥିଲା ତାର ନ ଥିଲା ଟେର ।
ହଁ ଜଣେ ପ୍ରଦିପ ମହାରଥୀ ଓ ଅନ୍ୟ ଜଣେ ଯୁଧିଷ୍ଠିର ସାମନ୍ତରାୟ । ଏବେ ଜଣେ ପରଲୋକରେ ତ ଜଣେ ଶଯ୍ୟାଶାୟୀ । ଉଭୟଙ୍କ ଯୁବାବସ୍ଥାରେ ପିପିଲି ଦେଖିଛି ଅନେକ ନରସଂହାର । ଦୁଇ ଗୋଷ୍ଠୀର ମତବେଦରେ ବଳି ପଡୁଥିଲେ ସାଧାରଣ ଜନତା । ବଜାର ଭିତରେ ଚାଲୁଥିଲା ଖଣ୍ଡା ତରବାରୀ, ବହୁଥିଲା ରକ୍ତର ଧାର । ଏହି ଗୋଷ୍ଠୀ ସଂଘର୍ଷରେ ଯୁଦ୍ଧିଷ୍ଠର ସାମନ୍ତରାୟ ହରାଇଥିଲେ ଗୋଟିଏ ଆଖି । ଏହାପରେ ପିପିଲି ଦେଖିଥିଲା ଆହୁରି ଅଧିକ ନାରକୀୟକାଣ୍ଡ । ଉଭୟଙ୍କ ମଧ୍ୟ ଥିଲା ରାଜନୈତିକ ପୃଷ୍ଠପୋଷକତା । ଯୁଧିଷ୍ଠିର କଂଗ୍ରେସର ପିପିଲି ଅଞ୍ଚଳର ଟାଣୁଆ ନେତା ହୋଇଥିବା ବେଳେ ମହାରଥୀ ଥିଲେ ଶାସକ ଦଳର ବିଧାୟକ । ଏକୁ ଆରେକ ବଳିୟାନ । ଫଳରେ ଏମାନଙ୍କ ସଂଘର୍ଷରେ ପେସି ହୋଇ ରହିଯାଇଥିଲେ ପିପିଲି ବାସୀ । ଦୁଇ ନେତାଙ୍କ ଚେଲା ଚାମୁଣ୍ଡା ମଧ୍ୟ ଖେଳାଉଥିଲେ ଆତଙ୍କ ।
ଶାସକ ଦଳରେ ମହାରଥୀ ଥିବାରୁ ବିଭିନ୍ନ ଦୁର୍ନୀତି ଓ ପାପକୁ ସେ ଚପାଇଦେଉଥିଲେ ନିଜ ପାୱାର ବଳରେ । ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେବିନା ଗଣଦୁଷ୍କର୍ମ ଘଟଣାରେ ମଧ୍ୟ ନିଜ ସମର୍ଥକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ । କିନ୍ତୁ ମହାରଥୀଙ୍କ ମୃତ୍ୟୁ ତଥା ଯୁଧିଷ୍ଠିର କର୍କଟରେ ପୀଡିତ ହୋଇ ଶଯ୍ୟାସାୟୀ ହେବା ପରେ ଲୋକଙ୍କ ମଧ୍ୟରେ ଭିତରେ ଭିତରେ ଖେଳି ଯାଇଥିଲା ଆନନ୍ଦର ଲହରୀ । ଲୋକେ ଶାନ୍ତିରେ ଜୀବନ ଯାପନ କରି ପାରିବେ ଏହି ଆଶା ସେମାନଙ୍କ ମଧ୍ୟରେ ହୋଇଥିଲା ଆଶା ସଂଚାର ।
କିନ୍ତୁ ତିର୍ତ୍ତୋଲ ଆସନରୁ ବିଷ୍ଣୁ ଦାସଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କରିବା ପରେ ଏହି ଆଶା ଯେମିତି କ୍ଷଣସ୍ଥାୟୀ ପରି ମନେ ହେଉଛି । ମହାରଥୀଙ୍କ ଅକାଳ ବିୟୋଗ ହେବାରୁ ସେଠାରେ ଉପନିର୍ବାଚନ ହେବା ନିଶ୍ଚିତ । ଯଦି ଉପନିର୍ବାଚନ ହୁଏ ତେବେ ମହାରଥୀଙ୍କ ପତ୍ନୀଙ୍କୁ ଦଳ ସେଠାରୁ ଠିଆ କରାଇବାର ରହିଛି ବହୁ ସମ୍ଭାବନା । କାରଣ ମହାରଥୀଙ୍କ ନାମରେ ସାଉଁଟାଯିବ ସହାନଭୂତି । ଫଳରେ ଯେଉଁ ଚେଲା ଚାମୁଣ୍ଡା ମହାରଥୀଙ୍କ ବିହୁନେ ନିଷ୍କ୍ରିୟ ହୋଇଯିବା ଆଶା କରାଯାଉଥିଲା, ମହାରଥୀଙ୍କ ପତ୍ନୀଙ୍କ ଛତ୍ରଛାୟାରେ ସେମାନେ ପୁଣି ଚଳାଇବେ ଆତଙ୍କ । ପୁଣି ଅନେକ ବେବିନା ଦୁଷ୍କର୍ମର ଶିକାର ହେବେ ।