ନୂଆଦିଲ୍ଲୀ: ମଣିପୁରରେ ଅଶାନ୍ତି ଜାରି ରହିଥିବା ବେଳେ ଆଜି ବିରୋଧୀ ଦଳ ଗୁଡିକୁ ନେଇ ହୋଇଥିବା ମେଣ୍ଟ ‘ ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ମଣିପୁର ଯାଉଛି । ବିଭିନ୍ନ ଦଳରୁ ଏଥିରେ ପ୍ରତିନିଧି ରହିଛନ୍ତି । ଏମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ । ୨୦ ଜଣ ସାଂସଦ ଏହି ପ୍ରତିନିଧି ମଣ୍ଡଳରେ ରହିବେ ବୋଲି ଜଣାପଡିଛି । ଦୁଇ ଦିନିଆ ଗସ୍ତରେ ଯାଉଛି ଏହି ପ୍ରତିନିଧି ମଣ୍ଡଳୀ । ମଣିପୁର ରାଜ୍ୟପାଳଙ୍କୁ ମଧ୍ୟ ଏହି ପ୍ରତିନିଧ୍ୟ ଦଳ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବିରୋଧୀ ପକ୍ଷର ଏହି ଟିମ ସ୍ଥିତି ଅନୁଧ୍ୟାନ କରିବା ପରେ ସଂସଦ ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବ । ମଣିପୁରରେ ମେ’ ମାସରୁ ହିଂସା ଜାରି ରହିଛି ।କୁକି ଓ ମୈତେୟୀ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏଯାଏଁ ଦେଢ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ୫୦ହଜାରରୁ ଅଧିକ ଘର ଛାଡି ସାରିଲେଣି । ନିକଟରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭଳି ଲଜ୍ଜାଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀ ମାନେ ଲାଗିପଡିଛନ୍ତି । ହେଲେ ଏବେବି ସେଠାରେ ଅଶାନ୍ତି ଜାରି ରହିଛି । ଅନ୍ୟପଟେ ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ହୋହାଲ୍ଲା ଚାଲିଛି । ଉଭୟ ଲୋକ ସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ଦାବି କରିଆସୁଛନ୍ତି ବିରୋଧୀ ।