ରୋଜଗାର ଆଶାରେ ଓଡ଼ିଶାରେ ବାହାରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ମୃତ୍ୟୁସଂଖ୍ୟାର ରିପୋର୍ଟ ଏବେ ଆଶ୍ଚର୍ଯ୍ୟ କରିଛି

ଦାଦନ ନେଉଛି ଜୀବନ। ୫ବର୍ଷରେ ୨୮୯ଜଣ ପ୍ରବାସୀଙ୍କ ଗଲାଣି ଜୀବନ। ରୋଜଗାର ଆଶାରେ ଓଡ଼ିଶାରେ ବାହାରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ମୃତ୍ୟୁସଂଖ୍ୟାର ରିପୋର୍ଟ ଏବେ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ରାଜ୍ୟକୁ କାମ କରିବା ପାଇଁ ଯିବା ପରେ ସେଠାରେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇଥାନ୍ତି ପ୍ରବାସୀ ଶ୍ରମିକ। ଏବେ ୫ବର୍ଷ ଭିତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହାର ସୂଚନା ସାମ୍ନାକୁ ଆସିଛି। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

୨୦୨୦ ମସିହା ଠାରୁ ଅଦ୍ୟାବଧି ବାହାର ରାଜ୍ୟରୁ ୫୬୧୨ଜଣ ପ୍ରବାସୀ ଶ୍ରମିକ ହୋଇଛନ୍ତି ଉଦ୍ଧାର । ପ୍ରବାସୀ ଶ୍ରମିକ ୨୮୯ ଜଣଙ୍କ ହୋଇଛି ମୃତ୍ୟୁ । ୨୦୨୧ ମସିହା ରେ ୧୪ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ୫ ଜଣ ରାୟଗଡା ଜିଲ୍ଲା ର ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ୨୦୨୨ ମସିହା ରେ ୩୧ ଜଣ ପ୍ରବାସୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡା ଜିଲ୍ଲା ର ସର୍ବାଧିକ ୮ ଜଣ ପ୍ରବାସୀ ଙ୍କ ଯାଇଛି ଜୀବନ । ୨୦୨୩ ମସିହାରେ ୪୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ର ସର୍ବାଧିକ ୯ ଜଣ ପ୍ରବାସୀଙ୍କ ଯାଇଛି ଜୀବନ । ୨୦୨୪ ରେ ୧୨୦ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧମାଳ ର ୧୫ ଓ ଛତ୍ରପୁର ର ୧୫ ଜଣଙ୍କ ଯାଇଛି ଜୀବନ । ସେହିପରି ୨୦୨୫ ରେ ୮୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ନବରଙ୍ଗପୁର ରେ ୧୦ ଜଣ ପ୍ରବାସୀଙ୍କ ଯାଇଛି ଜୀବନ ।