ଇସଲାମାବାଦ : ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜ୍କୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ପାକିସ୍ତାନ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ହିଁ ଗସ୍ତ ବାତିଲ କରି ଫେରିଯିବାକୁ ନିଷ୍ପତ୍ତି ନେଇଛି । ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି। ଆଜିଠାରୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରାୱଲପିଣ୍ଡରେ ଦିନିକିଆ ସିରିଜ ଆରମ୍ଭ ହେବାର ଥିଲା। କିନ୍ତୁ ଟସ୍ର ମାତ୍ର କିଛି ମିନିଟ୍ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଖବର ମିଳିଥିଲା । ସୁରକ୍ଷା କାରଣରୁ ଗସ୍ତ ବାତିଲ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଚିଫ ଏକଜକ୍ୟୁଟିଭ ଡେଭିଡ୍ ହ୍ବାଇଟ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏକ ଭଲ ଆୟୋଜକ ଦେଶ ହୋଇଥିଲେ ଖେଳାଳିଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଏବେ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ବ୍ୟବସ୍ଥା କରାଯାଉଛି ।