କେନ୍ଦ୍ରାପଡା : ସ୍ୱାମୀ ଆଗରେ ୯ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଡେଇଁଲା ମାଆ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡିଥିବା ଜଣାପଡିଛି । ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଯୁବକଜଣକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ। ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ। ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୋଇଥିଲା । ସେହି ସମୟରେ ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳାଜଣକ ଅଟୋକୁ ଅଟକାଇଥିଲେ। ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବ୍ୟକ୍ତିଜଣକ ମଧ୍ୟ ତୁରନ୍ତ ତଳକୁ ଡେଇଁଥିଲେ। ଉଭୟ ସ୍ୱାମୀସ୍ତ୍ରୀ ପାଣିରେ ଭାସୁଥିବା ବେଳେ ପିଲାଟିକୁ ଟେକିକି ଧରିଥିଲେ। ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍ ଦେଖି ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି।