ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲି, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର କୁମାର ମାର୍ଣ୍ଣି ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ରାଇରଙ୍ଗପୁର ଶ୍ରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଶିବିର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଶିବିରରେ ଜନସାଧାରଣ ଙ୍କ ଠାରୁ ମୋଟ ୯୨ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୭୫ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୭ଟି ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା । ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରି ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।