କଟକ: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୋଟ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ହେବ । ଏଥି ପାଇଁ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଂଚି ସାରିଛି । ଏହି ନୋଡାଲ ସେଣ୍ଟର ମଧ୍ୟରେ ରହିଛି ୨୨ଟି ପୋ ଲିସ ଷ୍ଟେସନ ।
ଏଠାରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନ ସବୁ ରଖା ଯାଇଛି । ପରୀକ୍ଷା ଯାଂଚ ପାଇଁ ମୋଟ ୫୭ଟି କେନ୍ଦ୍ରୀୟ ଚେକିଂ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି । ସକାଳ ୮ଟାରୁ ପରୀକ୍ଷା ହେବ । ପ୍ରଥମ ଦିନ ପରୀକ୍ଷାର୍ଥୀମାନେ ଘଣ୍ଟାଏ ଆଗରୁ ପହଂଚିବାକୁ ବୋର୍ଡ ତରଫରୁ ସୁଚନା ଦିଆଯାଇଛି । ପ୍ରତ୍ୟକ ଦିନ ପରୀକ୍ଷା କେନ୍ଦ୍ରରେ ଏକ ଘଣ୍ଟା ଆଗରୁ ପ୍ରଶ୍ନପତ୍ର ପହଂଚିବ ।
ଏଥି ପାଇଁ ସକାଳ ୬ଟାରୁ ୭ଟା ସମୟ ସ୍ଥିର ହୋଇଛି । ପୋଲିସ ଏସ୍କର୍ଟରେ ପରୀକ୍ଷା କେନ୍ଦ୍ରରେ ପହଂଚିବ ଏହି ସବୁ ପ୍ରଶ୍ନପତ୍ର । । ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଅନେକ ପଦକ୍ଷେପ ନିଆ ଯାଇଛି । ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ରହିବ । କେନ୍ଦ୍ରର ଏକ ନିର୍ଦିଷ୍ଟ ସ୍ଥାନରେ ରହିବ ଫୋନ୍ । ଗତ ବର୍ଷ ଯେଉଁ ସେଣ୍ଟରରେ କପି ହୋଇଥିବା ଅଭିଯୋଗ ଆସିଥିଲା ସେହି ସେଣ୍ଟର ବଦଳା ଯାଇଛି । ସମେଟିଭ୍ ଏକ ପରୀ କ୍ଷା ଯେଉଁ ସବୁ ସ୍ଥାନରେ ହୋଇଥିଲା ସେହି ସବୁ ସ୍ଥାନରେ ସମେଟିଭ୍ ୨ ପରୀକ୍ଷା ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।