ବିଧାୟକଙ୍କୁ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର : ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା ରେ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସୂଚନାଯୋଗ୍ୟ, ଗତ ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ୟ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍ ରେ ଫେରୁଥିଲେ। ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟ ଜାତୀୟ ରାଜପଥ ପାଖରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକଲରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ। ଗାଡ଼ିରେ ଥିବା ବିଧାୟକ, ପିଏସ୍ଓ, ପିଏ ଓ ଡ୍ରାଇଭର ଓହ୍ଲାଇଯିବା ପରେ ଦୁର୍ବୃତ୍ତମାନେ ପୁଣି ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ। ବୋମାମାଡ଼ କରିବା ପରେ ମୋହନଙ୍କ ପିଏସ୍ଓ ଦୁର୍ବୃତ୍ତଙ୍କ ପିଛା କରିଥିଲେ। କିନ୍ତୁ ଦୁଇ ଦୁର୍ବୃତ୍ତ ନରଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ।